ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ଦାବିରେ ବାଲେଶ୍ୱର ସହର ପ୍ରକମ୍ପିତ

ବାଲେଶ୍ୱର: ସହସ୍ରାଧିକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ବାଲେଶ୍ୱର ରେଳଷ୍ଟେସନରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମାକରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ସୋମବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଣିଙ୍କ ବିରୁଦ୍ଧରେ ବିକ୍ଷୋଭ ସମାବେଶରେ ବାଲେଶ୍ୱର ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ନେତୃମଣ୍ଡଳୀ ଗର୍ଜିଥିଲେ । ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାର୍ଥପାଇଁ କେନ୍ଦ୍ର ସରକାର ଗତ ୧୯୭୫ ମସିହାରୁ ଏହି ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସରକାରୀ କର୍ମଚାରୀମାନଙ୍କ ପାଇଁ ଘୋଷିତ ସର୍ବନିମ୍ନ ୧୮ହଜାର ଟଙ୍କା ବେତନ ପ୍ରଦାନ କରୁନାହାନ୍ତି । ଚାକିରିରେ ଥିବାବେଳେ କିମ୍ବା ଅବସରପରେ ଏମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉନଥିବା ସଂପର୍କରେ ବିକ୍ଷୋଭ ସମାବେଶରେ ବକ୍ତାମାନେ ଅଭିଯୋଗ କରିଥିଲେ । ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ସଶସ୍ତ୍ର କରିବା କଥା ମନ୍ତ୍ରୀ ଓ ନେତାମାନେ ଭାଷଣ ଦେଉଥିବାବେଳେ ଭବିଷ୍ୟନିଧି ପାଣ୍ଠି ଓ ଇ.ଏସ୍.ଆଇ.ଭୁକ୍ତ କରାଯାଉନାହିଁ । ମହିଳା ଓ ଶିଶୁମାନଙ୍କୁ ନିର୍ଦ୍ଧାରିତମାନ ଓ ଗୁଣବତ୍ତାର ଖାଦ୍ୟ ଦିଆଯାଉନାହିଁ । ଉପରିସ୍ଥ ଅଧିକାରୀମାନେ ଟେଣ୍ଡର ପ୍ରକ୍ରିୟାରେ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ନେଉଥିବାର ଅଭିଯୋଗ ହେଉଛି । ଦରଦାମ୍ ହୁ ହୁ ହୋଇ ବଢ଼ୁଥିଲେ ମଧ୍ୟ ବଜାର ଦରରେ ଶିଶୁମାନଙ୍କୁ ଦିଆଯାଉଥିବା ଗରମ ରନ୍ଧାଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯାଉନାହିଁ । ନୂତନ ନିଯୁକ୍ତି ଓ ପଦୋନ୍ନତିରେ ପାତର ଅନ୍ତର ନୀତି ଯୋଗୁଁ ଶହଶହ ମୋକଦ୍ଦମାରେ ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି । ବାଲେଶ୍ୱର ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ନେଇଥିôବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୌଣସି ସରକାରୀ ନିର୍ଦ୍ଦେଶକୁ ମାନୁନାହାନ୍ତି । ଶିଶୁମାନଙ୍କ ପୋଷାକ ବାବଦ ଅର୍ଥ ଅଙ୍ଗନୱାଡ଼ିକର୍ମୀଙ୍କ ଯୁଗ୍ମ ବ୍ୟାଙ୍କ୍ ବହିକୁ ପ୍ରଦାନ ବଦଳରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ନାମରେ ପୋଷାକ ବାବଦକୁ ଅର୍ଥ ପ୍ରଦାନ କରି ଲକ୍ଷାଧିକ ଟଙ୍କାର ଲାଞ୍ଚ ନେବାକୁ ଉଦ୍ୟମ ଜାରି ରଖିଛନ୍ତି । ସଂଘ ତରଫରୁ ଆନ୍ଦୋଳନ ନୋଟିସ୍ ଦିଆଯିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଏକଘଣ୍ଟା ମଧ୍ୟରେ ୫/୭ଟି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିବାର ଦର୍ଶାଇ କର୍ମୀମାନଙ୍କୁ ହଇରାଣ କରି ସଂଘକୁ ଦୁର୍ବଳ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଆଜିର ସମାବେଶକୁ ଭଣ୍ଡୁର କରିବାପାଇଁ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଓ କେତେକ ସି.ଡି.ପି.ଓ.ମାନେ ପ୍ରବଳ ଉଦ୍ୟମ ଚଳାଇଥିଲେ । କିନ୍ତୁ ସଂଘର ଆହ୍ୱାନରେ ଆଜି ସମାବେଶ ସଫଳ ହୋଇଛି ବୋଲି ସଂଘ ତରଫରୁ କୁହାଯାଇଛି । ବସ୍ତାବ୍ଲକ୍ର ଜନୈକା ସୁପରଭାଇଜର ତାଙ୍କ ପୁରୁଷବନ୍ଧୁଙ୍କ ଜରିଆରେ ଅଙ୍ଗନୱାଡ଼ି କର୍ମୀମାନଙ୍କଠାରୁ ଲାଞ୍ଚ ଆଦାୟ କରୁଥିବା ସଂପର୍କରେ ସଂଘ ତରଫରୁ ଅଭିଯୋଗ କରାଯାଇଛି । ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଛଅଟି ପ୍ୟାକେଜର କାର୍ଯ୍ୟ ନିର୍ଘଣ୍ଟ କରାଯାଇଥିବାବେଳେ ବହୁ ସରକାରୀ କାର୍ଯ୍ୟ ତୃଣମୂଳ ସ୍ତରରେ ଏମାନଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ଅଧିକ କାର୍ଯ୍ୟପାଇଁ ଅଧିକ ଅର୍ଥ ପ୍ରଦାନ କରାଯାଉନାହିଁ । ଖାଦ୍ୟ ନିରାପତ୍ତା ଆଇନରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ରେସନ୍ କାର୍ଡ଼ ଚିହ୍ନଟ ପ୍ରକ୍ରିୟାରେ ସହାୟତା କରିଥିବା କର୍ମୀମାନଙ୍କୁ ଉପଭୋକ୍ତାମାନଙ୍କଠାରୁ ରେସନ୍କାର୍ଡ଼ ପ୍ରଦାନ ବେଳେ ସଂଗୃହୀତ ଅର୍ଥକୁ କେତେକ ସି.ଡି.ପି.ଓ ଗତ ତିନିବର୍ଷ ଧରି ପ୍ରଦାନ କରିନାହାନ୍ତି । ସଂଘ ଏ ବିଷୟ ବହୁବାର ଦାବି କରିବା ପରେ କେତେକ ବ୍ଲକ୍ରେ ଏହା ପ୍ରଦାନ କରାଯାଇଥିଲେ ମଧ୍ୟ ସମସ୍ତ କର୍ମୀମାନଙ୍କୁ ଏହା ପ୍ରଦାନ କରାଯାଇନାହିଁ । ସହରାଞ୍ଚଳରେ ସରକାରୀ ଘର ନଥିବାବେଳେ ନିଜ ଘରେ କିମ୍ବା ଭଡ଼ାଘରେ କେନ୍ଦ୍ର ଚଳାଉଥିବା କର୍ମୀମାନଙ୍କୁ ଏବାବଦରେ ଅର୍ଥପ୍ରଦାନ କରାଯାଉନାହିଁ । କେତେକସ୍ଥାନରେ ନିର୍ମାଣାଧୀନ କେନ୍ଦ୍ରଗୃହ କାର୍ଯ୍ୟ ସଂପୂର୍ଣ୍ଣ ନହୋଇଥିଲେ ମଧ୍ୟ ସେହି ଗୃହରେ କେନ୍ଦ୍ର ଚଳାଇବାକୁ କର୍ମୀମାନଙ୍କୁ ବାଧ୍ୟ କରାଯାଉଛି । ରାଜନୈତିକ ହସ୍ତକ୍ଷେପ ଯୋଗୁଁ କେତେକ କର୍ମୀ ଓ ସହାୟିକାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣି ସେମାନଙ୍କୁ ହଇରାଣ କରାଯାଉଛି । ବିକ୍ଷୋଭସ୍ଥଳରୁ ସାଧାରଣ ସଂପାଦିକା ଗୌରୀ ଦାସଙ୍କ ନେତୃତ୍ୱରେ ସଂଘର ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଅରୁଣା ତ୍ରିପାଠିଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ବସ୍ତା ବ୍ଲକ୍ର ପାଉଁଶକୁଲି ସେକ୍ଟରର ସୁପରଭାଇଜରଙ୍କୁ ତୁରନ୍ତ ବଦଳି ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀଙ୍କୁ ଅନ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିକ୍ଷୋଭ ସମାବେଶରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ସଂଘ ତରଫରୁ ଆରତି ଦାସମହାପାତ୍ର, ରାଧାରାଣୀ ପଣ୍ଡା, ନିର୍ମଳା ପାଣିଗ୍ରାହୀ, ରାଜଲକ୍ଷ୍ମୀ ପଣ୍ଡା, ସବିତା ମଲ୍ଲିକ, ସବିତା ତ୍ରିପାଠୀ, ଜମ୍ବୁବତୀ ମହାନ୍ତି, ରେଣୁବାଳା ପାତ୍ର, କାଞ୍ଚନ ଦାସ, କଳ୍ପନା ଦାସ, ଅନୁସ୍ୱୟା ଦଳାଇ, ସୁକାନ୍ତି ମହାପାତ୍ର, ଜୟଶ୍ରୀ ରାଉତ, ତପସ୍ୱିନୀ ବିଶ୍ୱାଳ, ରିଙ୍କି ମଜୁମଦାର, ନମିତା ସାହୁ ଓ ସବିତା ପାଣ୍ଡିଆ ପ୍ରମୁଖ ସେମାନଙ୍କ ସମସ୍ୟା ଓ ଦାବି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ମାୟାଧର ନାୟକ, ଉପସଂପାଦକ ଶ୍ୟାମସୁନ୍ଦର ଜେନା, ସି.ପି.ଆଇ.ର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ସେଠୀ ପ୍ରମୁଖ ଦାବି ଓ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ । ଆସନ୍ତା ଜାନୁଆରୀ ୮ ତାରିଖ ସମସ୍ତ କେନ୍ଦ୍ରୀୟ ସଂଗଠନମାନଙ୍କ ଆହ୍ୱାନରେ କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ୧୨ ଦଫା ଦାବିନେଇ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବାକୁ ନେତାମାନେ ଆହ୍ୱାନ ଦେଇଥିଲେ । ଆସନ୍ତା ୮ ତାରିଖ ଦିନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଉକ୍ତ ତାରିଖ ପର୍ଯ୍ୟନ୍ତ କୌଣସି ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷାକ ବଣ୍ଟନ ପ୍ରକ୍ରିୟା ବନ୍ଦ ରଖିବାକୁ ସଂଘର ସଂପାଦିକା ଗୌରୀ ଦାସ ଅବଗତ କରାଇଥିଲେ । ଯଦି ଆସନ୍ତା ୮ତାରିଖ ଆଲୋଚନା ବିଫଳ ହୁଏ ତେବେ ସମସ୍ତ ବ୍ଲକ୍ ସ୍ତରରେ ଆନ୍ଦୋଳନ ଜାରି ରହିବ ବୋଲି ସମାବେଶରେ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ