ଅଙ୍ଗନୱାଡ଼ି ଶିଶୁଙ୍କ ପାଇଁ ଖରାଛୁଟି ହେବ କେବେ.. .. ?

ହିଂଜିଳିକାଟୁ (ଶେଷଦେବ ସାହୁ): ଫନି ବାତ୍ୟା ପରେ ସାରା ଓଡ଼ିଶା ତତଲା କଡ଼େଇ ଭଳି ଖରା ଡ଼ହଡ଼ହରେ ଜଳୁଥିବା ବେଳେ ଏଥିରେ ଛୋଟ ଛୋଟ କୋମଳମତି ଶିଶୁ ମାନଙ୍କୁ ନେଇ ମହିଳା ଓ ଶିଶୁବିକାଶର ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁରହିଛି । ପ୍ରତ୍ୟେହ ସକାଳ ୭ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କେନ୍ଦ୍ର ଚାଲୁଥିବାରୁ ପ୍ରବଳ ଖରାରେ ଶିଶୁ ମାନେ ଘରକୁ ଫେରିବା କଷ୍ଟ ହେଉଛି । ଗତ ଦେଢ ମାସ ଧରି ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ଥିଲାବେଳେ ଚଳିତ ମାସ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି । ଅଥଚ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଏଥିରୁ ବାଦ ପଡ଼ିଛି । ଗତ ଡ଼ିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଙ୍ଗନୱାଡ଼ି କର୍ମୀମାନଙ୍କ ଆନ୍ଦୋଳନର ଦାବୀ ଥିବା ଖରାଛୁଟି ସଂକ୍ରାନ୍ତରେ ଘୋଷଣା କରିଥିଲେ କି ୧୫ ଦିନ ଖରାଛୁଟି କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ବିଧିବଧ ଚିଠି ବ୍ଳକକୁ ଆସିନାହିଁ । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକର ୧୧୯ ଟି କେନ୍ଦ୍ରରେ ୧୯୫୭ ଏବଂ ପୌରାଂଚଳର ୨୯ ଟି କେନ୍ଦ୍ରରେ ୩୫୯ ଜଣ କୋମଳମତି ଶିଶୁମାନେ ପାଠ ପଢିବାକୁ ଆସୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଖରାଛୁଟି ନହେବାରୁ ପିଲାମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖରାର ଏଭଳି ପରିସ୍ଥିତିରେ ଅଭିଭାବକ ମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଛାଡ଼ିବାକୁ କୁଣ୍ଠାବୋଧ କରୁଛନ୍ତି । ଯଦି ସେମାନଙ୍କର କିଛି ଅଘଟଣ ଘଟେ, ସେଥିପାଇଁ ଦାୟୀ କିଏ ରହିବ, ସରକାର ନା ଅଙ୍ଗନୱାଡ଼ି କର୍ମୀ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଆଗାମୀ ଦିନରେ ଯଦି ଟାଣ ଖରାକୁ ନେଇ ଶିଶୁମାନଙ୍କର କିଛି ଅଘଟଣ ଘଟେ, ତାହେଲେ ରାଜ୍ୟ ସରକାର ଚେତିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ