ଅଚାନକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସାଂସଦ
ପୋଲସରା,(ଅନିଲ କୁମାର ମହାରଣା) : ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପ୍ରଥମେ ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହିତ ଆଲୋଚନା କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିରହିଥିବା ଅଭାବ ଅସୁବିଧା ବିଷୟ ବୁଝି ଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ଏଥିସହ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଚାଳନା କରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଡାକ୍ତର ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବହିଃ ବିଭାଗ ଓ ଅନ୍ତଃ ବିଭାଗ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ଅନ୍ତଃ ବିଭାଗର ଭାଟଖାଲି ଗ୍ରାମର ଜଣେ ମହିଳା ଅର୍ମିତା ସାହୁ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ମଧ୍ୟ କାର୍ଯ୍ୟରତ ଡାକ୍ତର, ନର୍ସ ଓ ସଫେଇ କର୍ମଚାରୀ ବୃନ୍ଦଙ୍କ ବ୍ଯବହାର ଅତ୍ୟନ୍ତ ଦୁଃଖ ଦାୟକ ଅଟେ ବୋଲି ପ୍ରକାଶ କରିଥିଲେ। ଏହାସହିତ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫା ନଥିବା, ରୋଗୀଙ୍କୁ ସଫା ଚାଦର ନିୟମିତ ଭାବରେ ଦିଆଯାଉନଥିବା, ନିୟମିତଭାବରେ ଡାକ୍ତର ପରିଦର୍ଶନରେ ଆସୁ ନଥିବା, ମାଗଣା ଔଷଧ ଲେଖା ନଯାଇ ବାହାର ଔଷଧ ଲେଖାଯାଉଥିବା ପରି ସଙ୍ଗିନୀ ଅଭିଯୋଗ ରୋଗୀଙ୍କ ଠାରୁ ସାଂସଦ ଶୁଣିବାପରେ ଏହାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଭାରପ୍ରାପ୍ତ ମେଡ଼ିକାଲ ଅଫିସରଙ୍କୁ ପରାମର୍ଶ ଦେଇଥିଲେ। ଟୀକାକରଣ ବିଭାଗ, ରଞ୍ଜନରଶ୍ମି ବିଭାଗ, ଆଦିକୁ ମଧ୍ୟ ପରିଦର୍ଶନ କରିଥିଲେ। ନିଜ ପିତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ସମୟରେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରର ଗୌରବକୁ ପୁନଶ୍ଚ ଫେରାଇ ଆଣିବାପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସାଂସଦ ପ୍ରକାଶ କରିଥିଲେ।