ଅଚିହ୍ନା ଗଳିତ ଗୁଳିବଦ୍ଧ ମୃତଦେହ ଉଦ୍ଧାର : କାଶୀନଗର ତରଫରୁ ହତ୍ୟାମାମଲା ରୁଜୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କାଶୀନଗର-ପାରଳାଖେମୁଣ୍ଡି ରୋଡର ନୀଳପୁର ଗ୍ରାମ ନିକଟସ୍ଥ ଏକ ନାଳରୁ ଅଚିହ୍ନା ଗଳିତ ଗୁଳିବଦ୍ଧ ମୃତ ଦେହ ଉଦ୍ଧାର ହୋଇଥିବାର ଜଣାପଡିଛି । ଉଲ୍ଲେଖିତ ନାଳରେ ଏହି କ୍ଷତବିକ୍ଷତ ତଥା ଗଳିତ ଶବ ପଡିଥିବାର କିଛି ପଥଚାରୀ ଦେଖି କାଶୀନଗର ପୋଲିସକୁ ଖବର ଦେଇଥିଲେ । କାଶୀନଗର ପୋଲିସ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ଟିମ୍ ପହଞ୍ଚି ଉକ୍ତ ଶବକୁ ଉଦ୍ଧାର କରି ଜବତ କରିଥିଲେ । ଏହାପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବାର ଜଣାପଡିଛି । ମୃତକଙ୍କ ବୟସ ପାଖାପାଖି (୬୦) ବର୍ଷ ହେବ ଏବଂ କେହି ଦୁର୍ବୁତ୍ତ ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିପାରିଛି । ଶବଟିର ଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଥିବା ବେଳେ ଗୁଳି ମରାଯାଇଥିବାର ଚିହ୍ନ ମଧ୍ୟ ରହିଥିବାର ଜାଣିବାକୁ ପାଇଛି ପୋଲିସ । ତେବେ ମୃତବ୍ୟକ୍ତି ଜଣକ ସ୍ଥାନୀୟ କି ଆଖପାଖ ଅଞ୍ଚଳର ନୁହଁନ୍ତି ବୋଲି ଜଣାପଡିଛି । ଏନେଇ କାଶୀନଗର ଥାନାରେ କେସ ନଂ ୩୪/୨୨ରେ ମାମଲା ରୁଜୁ କରାଯାଇ ଦଫା ୩୦୨ରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ