ଅଜଣା ଗାଡି ଧକ୍କାରେ ଜଣେ ମୃତ, ୩ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଏକ ଅଜଣା ଗାଡି ଧକ୍କାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବାର ଖବର ମିଳିଛି । ଘଟଣାରୁ ପ୍ରକାଶ, ଗତକାଲି ସନ୍ଧ୍ୟାରେ ଗୁମ୍ମା ଗ୍ରାମ ଠାରୁ ୧ କିମି ଦୂରରେ ଥିବା ଆଦର୍ଶ ବିଦ୍ୟାଳୟ ନକିଟସ୍ଥ କାନ୍ଥିଘାଟି ଠାରେ ଏକ ଅଜଣା ଗାଡିର ଧକ୍କାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଆହତ ହୋଇଥିବାର ଜଣାପଡିଛି । ଏଙ୍ଗରଡା ଗ୍ରାମର କୌଳାସ ଗମାଙ୍ଗ ଓ ଡେଭିଡ ଗମାଙ୍ଗ ବାଇକ ନମ୍ବର ଓଆର ୦୭ ଡି ୩୮୬୮ ଯୋଗେ ଗୁମ୍ମା ଅଞ୍ଚଳରୁ ନିଜ ଗ୍ରାମ ଏଙ୍ଗରଡା ଗ୍ରାମକୁ ଯାଉଥିବା ବେଳେ ଉକ୍ତ ବାଇକଟି ଏକ କୌଣସି ଏକ ଭାରିଯାନ ସହ ଦୁର୍ଘଟଣା ଘଟିଥିଲା । ଫଳରେ କୌଳାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡେଭିଡ ଗମାଙ୍ଗ ଗୁରୁତ ହୋଇପଡିଥିଲେ । ସ୍ଥାନୀୟ ବାସିନ୍ଦା ଡେଭିଡ୍ଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଉକ୍ତ ଦୁର୍ଘଟଣା ବାଇକ ପଡିଥିବା ବେଳେ ପଛପଟରୁ ଅନ୍ୟ ଏକ ବାଇକ ଯୋଗେ ଆସୁଥିବା ଦୁଇଜଣ ଏହି ଦୁର୍ଘଟଣାଗ୍ରସ୍ତ ବାଇକ ସହ ସେମାନେ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଏମାନେ ମଧ୍ୟ ଆହତ ହୋଇ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାର ଜଣାପଡିଛି । ଆହତ ଦୁଇ ଜଣ ହେଲେ ଜୀବିତ ଗମାଙ୍ଗ(୧୮) ଓ ଆକାଶ ଗମାଙ୍ଗ (୧୫) ବୋଲି ଜଣାପଡିଛି । ଏନେଇ ଏକ ମକଦ୍ଦମା ରୁଜୁ ହେବା ସହ ଦୁର୍ଘଟଣା ଘଟାଇଥିବା ଭାରିଯାନ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ଚାଲିଛି ବୋଲି ଗୁମ୍ମା ଫାଣ୍ଡିର ଏ.ଏସ୍.ଆଇ. ପ୍ରତାପ କୁମାର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ ।