ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୬୩ଛେଳି ମେଣ୍ଢା ମୃତ୍ୟୁ ଓ ୨୩ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଗତକାଲି ମଧ୍ୟରାତ୍ରୀ ପ୍ରାୟ ୧ଘଟିକା ସମୟରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୬୩ଛେଳି ମେଣ୍ଢା ମୃତ୍ୟୁ ହୋଇଥିବା ବେଳେ ୨୩ଗୁରୁତର ଭାବେ ଆହତ ହୋଇଛି। ଉକ୍ତ ଗ୍ରାମର ଚାଷୀ ବିରା କ୍ରିଷ୍ଣା ଓ ବିରା ରାମୁଙ୍କ ଛେଳି ଗୁଡ଼ିକ ବୋଲି ଜଣାପଡିଛି। ବହୁ ବର୍ଷ ଧରି ଏମାନେ ଛେଳିମେଣ୍ଢା ଚାଷ କରି ଦୁଇ ଚାଷୀ ପେଟ ପୋଷଣ କରୁଥିବା ବେଳେ ଏପରି ଘଟଣାକୁ ନେଇ ଭାଗ୍ୟକୁ ଦୋଷ ଦେଇ ଅସହାୟ ହୋଇଯାଇଛନ୍ତି । ଖବର ଜାଣି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଘଟଣା ସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀ ବଣିକାନ୍ତ ଖଟୁଆ ପହଞ୍ଚି ଆହତ ଛେଳି ମେଣ୍ଡା ଗୁଡିକକୁ ଚିକିତ୍ସା କରିଥିଲେ। ଚାଷୀମାନେ ମୃତ୍ୟୁ ଛେଳିମେଣ୍ଢାର ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ଗ୍ରାମବାସୀ ଭୟଭୀତ ହେବା ସହ ବନ୍ୟଜନ୍ତୁ ଠାରୁ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।


