ଅଜଣା ରୋଗରେ ଚାଷ ଜମି ଆକ୍ରାନ୍ତ; ଲାଲ ପଡିଥିବା ଚାଷ ଜମିରେ ଧାନ ବାହାରୁ ନଥିବା ନେଇ ଚିନ୍ତାରେ ଚାଷୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ମୁଖ୍ୟ ଫସଲ ହେଉଛି ଧାନ ଚାଷ । କୃଷକ ବର୍ଷକ ମଧ୍ୟରେ ଜମିକୁ ବେଉଷଣ କରି ଯାହା ଅମଳ କରେ ସେଥିରେ ପରିବାର ପ୍ରତିପୋଷଣ କରିଥାଏ । ଚଳିତ ବର୍ଷ ଚାଷୀ ମାନେ ଧାନ ଚାଷ କରିଥିବା ବେଳେ ଏବେ ଧାନ ଗଛ ଗୁଡିକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଲାଲ ପଡି ଯାଉଥିବା ଦେଖାଯାଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ଜଣାଯାଇଛି । ଏଭଳି ପରିସ୍ଥିତି ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ଦେଖିବାକୁ ମିଳିଛି । ଟିଲୋ ମାଳି ସାହି ଗ୍ରାମର ଅର୍ଜ୍ଜୁନ ଚରଣ ପଣ୍ଡା ପ୍ରାୟ ୩ ଏକର ଜମିରେ ଧାନ ଚାଷ କରିଥିଲେ । ସବୁତକ ଜମିରେ ଅଜଣା ରୋଗ ହେବା ଫଳରେ ସବୁ ଧାନ ଗଛ ଗୁଡିକ ଲାଲ ପଡି ଯାଇଛି । ଧାନ ଗଛ ଗୁଡିକରେ ଥୋଡ ବାହାରୁ ନାହିଁ । ଏନେଇ ପୂର୍ବରୁ ସେ ଜିଲା କୃଷି ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ କୃଷି ବୈଜ୍ଞାନିକଙ୍କ ସମେତ ଜିଲା ଓ ବ୍ଲକ କୃଷି ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏଥିସହ ରୋଗ ଆକ୍ରାନ୍ତ ଚାଷ ଜମିର ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ । ସେହି ଅନୁଯାୟୀ ପ୍ରାୟ ୧୪ ହଜାର ଟଙ୍କାର କୀଟନାଶକ ରୋଗ ଆକ୍ରାନ୍ତ ଧାନ କ୍ଷେତରେ ପ୍ରୟୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳୁନାହିଁ । ସେହିପରି ଉକ୍ତ ପଞ୍ଚାୟତର ବହୁ ଚାଷୀଙ୍କର ଧାନ କ୍ଷେତ ରୋଗ ପୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ନିରାକରଣ ବ୍ୟବସ୍ଥା କରିବା ସହିତ କ୍ଷତିଗ୍ରସ୍ତ ଚାଷ ଜମିରେ କ୍ରପ୍ କଟିଂ କରାଇ ଚାଷୀଙ୍କୁ କୃଷି ଋଣର କ୍ଷତିପୂରଣ ବୀମା ଦେବାକୁ ଚାଷୀ ତଥା ପ୍ରାକ୍ତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ଚାଷୀ ନବଘନ ରାଜ, ଜନାର୍ଦ୍ଦନ ସାହୁ, ବୁଲୁ ଲେଙ୍କା, ବନ୍ତ ପଞ୍ଚାୟତର ସୁବାଷ ଚନ୍ଦ୍ର ବେହେରା, ଫକୀର ଚରଣ ବିଶ୍ୱାଳ, ବସନ୍ତିଆ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ରମାକାନ୍ତ ସାହୁ ପ୍ରମୁଖ ଦାବୀ କରିଛନ୍ତି ।


