ଅଜଣା ରୋଗରେ ଛଟପଟ ୧୩ବର୍ଷର ବାଳକ ରାହୁଲ:ସରକାରୀ ସହାୟତା ଅପେକ୍ଷାରେ ପରିବାର ଲୋକେ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡ଼ିରହିଛି ୧୩ ବର୍ଷର ବାପ ଛେଉଣ୍ଡ ପୁଅ ରାହୁଲ । ଏବେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପରିବାର ବର୍ଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଜକିକିଆ ଗାଁ ରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା ।୧୩ବର୍ଷର ବାଳକ ରାହୁଲ ମଳିକ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତର ଜକିକିଆ ଗାଁ ରେ ଘର । ଗତ ଚାରି ବର୍ଷ ହେଲାଣି ଅସ୍ବାଭାବିକଭାବେ ବଢ଼ିବାରେ ଲାଗିଛି ରାହୁଲ ର ପେଟ । ଅର୍ଥ ଅଭାବରୁ  ରାହୁଲର ଚିକିତ୍ସା କରାଇ ପାରୁନାହାନ୍ତି ମା’ ସାଉଟି ମଳିକ । ସେପଟେ ତିନିବର୍ଷ ପୂର୍ବେ ରାହୁଲ ର ବାପା ସ୍ବର୍ଗତ ପ୍ରଶାନ୍ତ ମଳିକ ଅଜଣା ଗାଡ଼ି ଧକ୍କାରେ ଆରପାରିକୁ ଚାଲିଯାଇଛନ୍ତି । ବାପା ମଲାପରେ ଘରେ ଏବେ ବିଧବା ମା’ ସାଉଟି ସହ ଝିଅ ମଞ୍ଜୁଳା ଓ ରୋଗାକ୍ରାନ୍ତ ପୁଅ ରାହୁଲ ଅଛନ୍ତି । ମୁଲ ଲାଗି ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି ସାଉଟିଙ୍କ ପାଇଁ । ପୁଅର ଚିକିତ୍ସା କରାଇବେ କଣ ?  ଅର୍ଥ ଅଭାବରୁ ଝିଅ ମଞ୍ଜୁଳାର ମଧ୍ୟ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଛି । ଏବେ ଏକମାତ୍ର ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ । ଦୁର୍ଘଟଣାରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ଏବେ ପୁରା ପରିବାର  ଅସହାୟ ହୋଇପଡ଼ିଛନ୍ତି । ଗାଁ ଲୋକେ ବେଳେବେଳେ ସାଉଟିକୁ କିଛି କିଛି ସାହାଯ୍ୟ କରନ୍ତି । କିନ୍ତୁ ପୁଅର ଚିକିତ୍ସାକୁ ନେଇ ମା’ଆଖିରୁ ଲୁହ ଶୁଖୁନି ।   ଜିଲ୍ଲା ପ୍ରଶାସନ ଓ ସରକାର ଯଦି ଏହି ଦୁଃଖୀ ପରିବାରକୁ ସହାୟତା କରନ୍ତେ ତେବେ ରାହୁଲ ର ଉତ୍ତମ ଚିକିତ୍ସା ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ହେଲେ ଜିଲ୍ଲା ପ୍ରଶାସନର ଏହି ଦୁଃଖୀ ପରିବାର ଉପରେ କେବେ ଦୃଷ୍ଟି ପଡ଼ୁଛି ଓ ରାହୁଲ ର କେବେ ଚିକିତ୍ସା ହେଉଛି ତାହାକୁ ହିଁ ଅପେକ୍ଷା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ