ଅଜବ ଗାଁ : ପ୍ରତିବର୍ଷ ଦିଆଯାଏ ମାଗଣା ଆମ୍ବ ପାର୍ଟି
ଲୋକେ ନିଜ ବାଡ଼ିବଗିଚାରେ ଚାଷ କରି ବର୍ଷକ ଯାଏ ଚାହିଁ ରହିଥାନ୍ତି ଅମଳ ହେଲେ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ । କିନ୍ତୁ ଏମିତି ଜଣେ କୃଷକ ଅଛନ୍ତି ଯିଏ ନିଜ ବଗିଚାରେ ଲଗାଇଥିବା ଆମ୍ବ ଗଛରୁ ଯାହା ଅମଳ ହୁଏ ସେସବୁ ନ ବିକି ଲୋକଙ୍କୁ ଡାକି ଘରେ ମାଗଣାରେ ଆମ୍ବ ପାର୍ଟି କରନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ଶାହପୁରର ଚୁଡ଼ିଆ ନାମକ ଏକ ଗାଁରେ । ଏହି ଗାଁର ଜଣେ କୃଷକ ନିଜ ବଗିଚାରେ ଲଗାଇଥିବା ଆମ୍ବଗଛରୁ ଯାହା ଫଳ ମିଳେ ସେ ଗାଁ ଲୋକଙ୍କୁ ଡାକି ଆମ୍ବ ପାର୍ଟି ଦିଅନ୍ତି । କୃଷକଙ୍କ ନାଁ ହେଲା ରାମକିଶନ ଯାଦବ । ସେ ତାଙ୍କର ତିନି ଏକର ଜମିରେ ୧୫୦ଟି ଆମ୍ବଗଛ ଲଗାଇଛନ୍ତି । ଏଥିରୁ ଯାହା ଅମଳ ହୁଏ ପ୍ରତିବର୍ଷ ଗ୍ରାମବାସୀଙ୍କୁ ଡାକି ଘରେ ଆମ୍ବପାର୍ଟି ଦିଅନ୍ତି । ବୁଧବାର ସେ ଲୋକଙ୍କୁ ଡାକି ଏକ ଆମ୍ବ ପାର୍ଟି ଦେଇଛନ୍ତି । ଯେଉଁଥିରେ ୨୦ ପ୍ରକାରର ଆମ୍ବର ସ୍ୱାଦ ଚାଖିଛନ୍ତି ହଜାର ହଜାର ଲୋକ । ଏହି ପାର୍ଟିରେ ସାଧାରଣ ଲୋକ, ରାଜନେତା, ସମାଜସେବୀ ଏକାଠି ବସି ଆମ୍ବ ଖାଇଥାନ୍ତି । ଏହି ପାର୍ଟି ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାରିବାରିକ ତଥା ସାମାଜିକ ସମ୍ପର୍କ ସୁଦୃଢ଼ କରିବା । ରାମକିଶନ ପ୍ରାୟ ୬ ବର୍ଷ ହେଲା ଏମିତି ପାର୍ଟିର ଆୟୋଜନ କରିଆସୁଛନ୍ତି । ପ୍ରାୟ ୨୦ କିସମର ୮ କ୍ୱିଣ୍ଟାଲ ଆମ୍ବ ଏହି ପାର୍ଟିରେ ୧ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ଖାଇବାକୁ ଦିଆଯାଇଥାଏ । ଆୟୋଜିତ ଏହି ଆମ୍ବ ପାର୍ଟିରେ ପୂର୍ବତନ ବିଧାୟକ ବିନୋଦ ଡାଗା, ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ, ରାଜେନ୍ଦ୍ର ଜୟଶ୍ୱବାଲ, ପ୍ରବୀଣ ଗୁଗ୍ନାନୀ, ଅନୀଲ ସିଂହଠାକୁର, ଅଜିତ୍ ପଟେଲଙ୍କ ସମେତ ବହୁ ରାଜନେତା ସାମିଲ ହୋଇ ଆମ୍ବର ସ୍ୱାଦ ଚାଖିଥିଲେ । ରାମକିଶନ କୁହନ୍ତି, ବଗିଚାରେ ଫଳୁଥିବା ଆମ୍ବକୁ ସେ କେବେ ବିକନ୍ତି ନାହିଁ । ତାଙ୍କର ଜେଜେବାପା କୁହନ୍ତି, ଆମ୍ବ ଖାଇବା ପାଇଁ କାହାକୁ ମନା କରିବନି । ତେଣୁ ସେ ଜେଜେବାପାଙ୍କ କଥାକୁ ଆଜି ପର୍ଯ୍ୟନ୍ତ ମାନି ଆସିଛନ୍ତି । ଆମ୍ବ ପାର୍ଟିର ଆୟୋଜନ କରାଯିବା ଦ୍ୱାରା ବନ୍ଧୁ ପରିଜନଙ୍କ ଏକାଠି ହେବାର ଏକ ସୁଯୋଗ ମିଳିଥାଏ । ପାରିବାରିକ ମାହୋଲ ଏକ ପ୍ରକାର ହସଖୁସିରେ ଭରିଯାଏ ବୋଲି ରାମକିଶନ କୁହନ୍ତି । ଆମ୍ବ ପାର୍ଟି ସହିତ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ରାମକିଶନଙ୍କ ପୁଅ ଯାଗେଶ କୁହନ୍ତି, ସେ ମଧ୍ୟ ଏହି ପରମ୍ପରା ଆଗକୁ ଜାରି ରଖିବେ ।