ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା
ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି । ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି । ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଏ । ଏଭଳି ଏକ ପ୍ରଥା ରହିଛି ହିମାଚଳ ପ୍ରଦେଶ ସ୍ଥିତ କୁଲ୍ଲୁର ପିଣି ଗାଁରେ । ଏଠାରେ କାହିଁ କେଉଁ କାଳରୁ ବର୍ଷର ୫ଦିନ ଦମ୍ପତି ପରସ୍ପର ପାଇଁ ଅଚିହ୍ନା ହୋଇ ରହିବା ପରମ୍ପରା ପାଳିତ ହୋଇଆସୁଛି । କେହି କାହାରି ସହ କଥାବାର୍ତ୍ତା କରନ୍ତି ନାହିଁ କି ହସଖୁସି ହୁଅନ୍ତି ନାହିଁ । ଏପରିକି ମହିଳାମାନେ ଗୋଟିଏ ବସ୍ତ୍ରକୁ ୫ଦିନ ଯାଏଁ ପରିବର୍ତ୍ତନ କରୁ ନ ଥିବାବେଳେ ପୁରୁଷମାନେ ନିଶାଦ୍ରବ୍ୟ ସେବନଠୁ ଦୂରେଇ ରହିଥାନ୍ତି । ୧୭ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ପରମ୍ପରା ପାଳନ କରାଯାଏ । ବିଶ୍ୱାସ ରହିଛି, ଏହି ପାଞ୍ଚ ଦିନରେ ଗାଁରେ ଆତଙ୍କ ସୃଷ୍ଟିକାରୀ ରାକ୍ଷସଙ୍କ ଦୌରାତ୍ମ୍ୟର ଅନ୍ତ କରିବାକୁ ପ୍ରତ୍ୟକ୍ଷ ଦେବତା ଲାହୁଆ ଏଠାରେ ଆବିର୍ଭାବ ହୋଇଥିଲେ । ଏହି ସମୟକୁ କାଳମାସ ବୋଲି କୁହାଯାଏ । ତେଣୁ ଲାହୁଆ ଦେବତାଙ୍କୁ ସମ୍ମାନ ଜଣାଇ ଗାଁର ପରିବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରଖାଯାଏ ।


