ଅଟୋ ଚାଳକଙ୍କ ଦୌରାତ୍ମ୍ୟ : ଥାନାରେ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ସାନ୍ତସାହି ପୋଲ ନିକଟରେ ଅଟୋଚାଳକଙ୍କ ଦୌରାତ୍ମ୍ୟରେ ଯାତ୍ରୀ ହୀନସ୍ଥା ହୋଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ସହରର ଜଇପୁରା ଗ୍ରାମର ବାସିନ୍ଦା ଭାରତୀ ନାୟକ ଅଭିଯୋଗ କହିଛନ୍ତି ଯେ ମହାକାଳପଡ଼ା ବ୍ଲକର ମଙ୍ଗରାଜପୁରକୁ ଯିବା ପାଇଁ ସେ ଏକ ଅଟୋରେ ବସିଥିଲେ । ଏଥି ପାଇଁ ୩୫୦ ଟଙ୍କା ଅଟୋଚାଳକ ଦାବି କରିଥିଲେ । କିନ୍ତୁ ୩୦୦ ଟଙ୍କା ଦେବେ ବୋଲି ଭାରତୀ କହିଥିଲେ । କିନ୍ତୁ ଅଟୋଚାଳକ ଜଣକ ସର୍ତ୍ତ ରଖିଥିଲେ ଯେ ବାଟରେ ଯଦି ଅନ୍ୟ କୌଣସି ଯାତ୍ରୀ ଯିବାକୁ ଚାହାଁନ୍ତି ତେବେ ସେ ସେମାନଙ୍କୁ ନେବେ । ଭାରତୀଙ୍କୁ ମଙ୍ଗରାଜପୁର ବଦଳରେ ଓରତଘାଟରେ ଛାଡିଦେବେ । ଏଥିରେ ଭାରତୀ ରାଜି ହୋଇ ନ ଥିଲେ । କାରଣ ଓରତ ଘାଟରେ ଛାଡିଲେ ଭାରତୀ ମଙ୍ଗରାଜପୁର ଯିବା ପାଇଁ ଅସୁବିଧାରେ ପଡିବେ । ତେଣୁ ଭାରତୀ ଅଟୋଚାଳକଙ୍କ ସର୍ତ୍ତରେ ରାଜି ନ ହୋଇ ଅଟୋରୁ ଓହ୍ଲାଇ ଅନ୍ୟ ଏକ ଅଟୋରେ ବସିଥିଲେ । କିନ୍ତୁ ପୂର୍ବ ଅଟୋଚାଳକ ବାବୁଲି ରାଉତ ଆସି ସେହି ଅଟୋଚାଳକଙ୍କ ସହ ଯୁକ୍ତିତର୍କ କରିବା ସହ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ଏହି ଯାତ୍ରୀମାନେ ଭାରତୀଙ୍କ ସହ ଯିବା ପାଇଁ ପୂର୍ବରୁ ରାଜି ହୋଇଥିଲେ । ଏହାପରେ ଯାତ୍ରୀମାନେ ମଙ୍ଗରାଜପୁର ଯାଉଥିବା ଏକ ବସରେ ଚଢିଥିଲେ । କିନ୍ତୁ ଅଟୋଚାଳକ ବାବୁଲି ବସରେ ଚଢି ଯାତ୍ରୀମାନଙ୍କୁ ଧମକ ଦେବା ସହ ଏହି ଯାତ୍ରୀମାନଙ୍କୁ ନ ନେବାକୁ ବସର କଣ୍ଡକଟର ଓ ଡ୍ରାଇଭରଙ୍କୁ ମଧ୍ୟ ଧମକ ଦେଇଥିଲେ । ଏଥିସହ ବସରୁ ବାବୁଲି ଯାତ୍ରୀମାନଙ୍କୁ ଭିଡି ଓହ୍ଲାଇ ଦେଇଥିଲେ । ଅଟୋଚାଳକ ବାବୁଲିଙ୍କ ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ଭାରତୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଅଟୋଚାଳକ, ବସ କର୍ମଚାରୀ ଓ ବସ ମାଲିକଙ୍କୁ ଡକାଇ ପଚରାଉଚରା କରୁଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପୃଷ୍ଟି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ