ଅଟୋ ଧକ୍କାରେ ଛାତ୍ରୀ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏକ୍ସ ୬୨୩୧) ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ରଚିତା ପଣ୍ଡା(୧୮) । ସ୍ଥାନୀୟ ଲୋକେ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରକାଶ ଯେ, ଛାତ୍ରୀ ଜଣଙ୍କ ଅପରାହ୍ନରେ କଲେଜରୁ ଶିକ୍ଷା ସମାପ୍ତ କରି ଘରକୁ ଫେରିବା ସମୟରେ ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋଟି କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଧକ୍କା ଦେବା ସହ ନିକଟରେ ଦୁଇଟି ଗୁପଚୁପ ଗାଡ଼ି ଓ ଫାଷ୍ଟଫୁଡ ଠେଲା ଗାଡିକୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ଛିଟିକି ପଡ଼ି ଗୁରୁତର ଆହତ ହେବା ସହ ଠେଲା ଗାଡ଼ିରେ ଥିବା ଖାଦ୍ୟ ସାମଗ୍ରୀ ତଳେ ପଡି ନଷ୍ଟ ହୋଇଥିଲା। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ଲେଖା ହେବା ସୁଦ୍ଧା ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ଦୂର୍ଘଟଣାରେ ଅଟୋ ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।