ଅଡୁଆ ବଢିଲା ରାଜୀବ କୁମାରଙ୍କର
ବହୁଚର୍ଚ୍ଚିତ ଶାରଦା ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଆଜି ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ଏହି ରିପୋର୍ଟରେ ସିବିଆଇ କିଛି ସାଂଘାତିକ ଘଟଣାର ଖୁଲାସା କରିଥିବା ସୁପ୍ରିମକୋର୍ଟ କହିଛନ୍ତି।
ସିବିଆଇ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏହାକୁ ତନ୍ନତନ୍ନ କରି ପଢ଼ିଥିଲେ। ଏହାପରେ ସେ ଏଥିରେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା କହିଛନ୍ତି। କୋଲକାତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପରେ ସିବିଆଇ ଏଭଳି ତଥ୍ୟ ହାସଲ କରିଛି। ସେ ଜେରା ବେଳେ ବହୁ ଗୁମର ଖୋଲିଥିବା କଥା ମଧ୍ୟ ରିପୋର୍ଟରେ ରହିଛି।
ଜଷ୍ଟିସ୍ ଗୋଗୋଇ କହିଛନ୍ତି, “ଏହି ରିପୋର୍ଟରେ ଏମିତି କିଛି ତଥ୍ୟ ରହିଛି, ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ୟ୍ୟ ଚକିତ ହୋଇଯିବେ। ଏଥିରେ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା କରାଯାଇଛି।”
ଏହାପରେ ଜଷ୍ଟିସ୍ ଗୋଗୋଇ ସିବିଆଇକୁ ଶ୍ରୀ କୁମାରଙ୍କ ବିରୋଧରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ ଦାଖଲ କରିବାକୁ କହିଛନ୍ତି। ଶାରଦା ଚିଟ୍ଫଣ୍ଡର ତଦନ୍ତ କରୁଥିବା ଏସ୍ଆଇଟିରେ ଶ୍ରୀ କୁମାର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ଅନେକ ତଥ୍ୟ ହେରଫେର କରିଥିବା ସିବିଆଇ ତା’ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।


