ଅଡୁଆ ସୃଷ୍ଟି କଲେ ୧୮୭ତମ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା ୩୨ ଜଣ ଚିହ୍ନଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କକନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ଇନ୍ଦ୍ରଗଡର। ତାଙ୍କର ବୟସ ୮୦ ବର୍ଷ। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ସଂଖ୍ୟା ପହଞ୍ଚିଲା ୧୮୭ରେ। ହେଲେ ୧୮୭ତମ ଆକ୍ରାନ୍ତ ବୃଦ୍ଧ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି। କନ୍ଧମାଳ ଓ ଗଞ୍ଜାମ ସୀମାରେ ତଳଇନ୍ଦ୍ରଗଡ ଗାଁଟି ରହିଥିବା ବେଳେ ବୃଦ୍ଧ ଜଣକ ଏକ ହୋଟେଲକୁ ନିୟମିତ ଯାଉଥିଲେ। ସେଠାରେ ଗଞ୍ଜାମ ଜିଲ୍ଲାର କେହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବୋଧେ ଆସିଛନ୍ତି। ତାଙ୍କୁ ଥଣ୍ଡା ଓ ଜ୍ୱର ହେବାରୁ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ଓ ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୨ ଜଣଙ୍କୁ ଚିହ୍ନଟ ହୋଇଛି। ସେମାନଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହୁରି କିଛି ତାଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଖୋଜା ଚାଲିଛି।ଆକ୍ରାନ୍ତ ବୃଦ୍ଧଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମଥର ପାଇଁ ଦୁଇ ଦିନିଆ ସଟ ଡାଉନ ହୋଇଥିବା ଯୋଗୁଁ ସବୁ ଆଡେ ଶୂନଶାନ ଥିବା ବେଳେ ସମସ୍ତେ ନିୟମ ମାନି ଘରେ ରହିଥିଲେ। ଜରୁରୀ କାମରେ କିଏ କେମିତି ବାହାରୁ ଆସିଥିବା ବେଳେ ସେମାନେ ମାସ୍କ ପିନ୍ଧିବା ସହ ସମାଜିକ ଦୁରତା ରକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସବୁ ସ୍ଥାନରେ ପୁଲିସ ସଜାଗ ରହି ଅମାନିଆଙ୍କ ଉପରେ କଡା ନଜର ରଖିଥିଲେ। ପୂର୍ବଭଳି ସୋମବାର ଠାରୁ ସମଗ୍ର କନ୍ଧମାଳରେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ହେଲେ ପଡୋଶୀ ଜିଲ୍ଲା ଗଞ୍ଜାମ,ଗଜପତି ହଟସ୍ପଟ ହୋଇଥିବାରୁ କଟକଣାକୁ କଡାକଡି କରାଯାଇଛି। ବାହାରୁ ଜିଲ୍ଲାରୁ କେହି କନ୍ଧମାଳକୁ ଆସି ପାରିବେ ନାହିଁ। ଆଉ କନ୍ଧମାଳ ଜିଲ୍ଲାରୁ କେହି ହଟସ୍ପଟ ଜିଲ୍ଲାକୁ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ ସତର୍କ ବାଣି ଶୁଣାଇ ଦେଇଛି। ଯଦି କେହି ଅମାନ୍ୟ କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ