ଅଢାଳପଙ୍କ ହାଇସ୍କୁଲରେ ଆୟୁଷ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଢାଳପଙ୍କ କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠ ପରିସରରେ ଜାତୀୟ ଆୟୁଷ ମିଶନ ଓ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟର ମିଳିତ ସହଯୋଗ ତଥା ଜିଲା ଆୟୁର୍ବେଦ ଚିିକିତ୍ସାଧିକାରୀ, ବାଲେଶ୍ୱରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ସେଣ୍ଢ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆୟୁଷ ଚିକିତ୍ସା ପଦ୍ଧତି, ସ୍ୱାସ୍ଥ୍ୟ ରକ୍ଷା ତଥା ରୋଗ ନିରାକରଣରେ ଆୟୁଷର ଭୂମିକା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ହୋମିଓପାଥି ଚିକିତ୍ସାଧିକାରିଣୀ ଡାକ୍ତର ଜୟଶ୍ରୀ ନନ୍ଦ ଯୋଗ ଦେଇ ଆୟୁଷ ଚିକିତ୍ସାର ପ୍ରଚାର ଓ ପ୍ରସାର ନିମିତ୍ତ ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କ ଭୂମିକା ତଥା ବିଦ୍ୟାଳୟର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଡିପିଏମ୍ ଦୀପ୍ତିମୟୀ ମିଶ୍ର ଜାତୀୟ ଆୟୁଷ ମିଶନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଡିଆ ସରପଞ୍ଚ ମୀନା କୁମାରୀ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମଧୁସୂଦନ ଶଂଖୁଆ ଯୋଗ ଦେଇ ସରକାରଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ଆଲୋଚନା କରି ଭୂୟସୀ ପ୍ରଶଂସା କରିଥିଲେ । ପ୍ରଶିକ୍ଷକ ଡାକ୍ତର ରାଜୀବ ମାଝୀ, ଡାକ୍ତର ସମୀର ରଞ୍ଜନ ଛଟେଇ, ଡାକ୍ତର ସସ୍ମିତା ମଣ୍ଡଳ ଛାତ୍ରଛାତ୍ରୀ ମାନଙ୍କୁ ପୋଷଣ, ସ୍ୱାସ୍ଥ୍ୟ ସଚେତନତା, ଔଷଧିୟ ବୃକ୍ଷର ଉପକାରିତା, କୈଶର ବୟସରରେ ଛାତ୍ରଛାତ୍ରୀ ମାନଙ୍କ ଠାରେ ଦେଖା ଦେଉଥିବା ଶାରିରୀକ ତଥା ମାନସିକ ପରିବର୍ତ୍ତନ, ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଏହାର ସମାଧାନ ସଂପର୍କରେ ଶିକ୍ଷାଦାନ କରିଥିଲେ । ଡାକ୍ତର ମୋଜାମିଲ ଅଲୀ, ଡାକ୍ତର ଦୂର୍ଗେଶ ନନ୍ଦିନୀ ବାସ୍କେ, ଆସିଷ୍ଟାଣ୍ଟ ସନ୍ତୋଷ କୁମାର ଦାଶ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକତା ଅନୁସାରେ ଔଷଧ ବଣ୍ଟନ କରିଥିଲେ । ଯୋଗ ପ୍ରଶିକ୍ଷକ ଦିପ୍ତୀକାନ୍ତ ପଣ୍ଡା ସୁସ୍ଥ ଶରୀର ଗଠନ ନିମିତ୍ତ ଯୋଗର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ଯୋଗାଭ୍ୟାସ କରାଇଥିଲେ । ପ୍ରଧାନ ଶିକ୍ଷକ ବନଲତା ଦାସ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଆଲୋକ ରଞ୍ଜନ ମୁଖାର୍ଜୀଙ୍କ ସମେତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ ।