ଅଣଓସାରିଆ ରାସ୍ତାରେ ଫସିଲା ନଳକୂପ ଖନନ ଟ୍ରକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ପାଟିକୋଟା ଠାରୁ ଚନ୍ଦନଖଳା ରାସ୍ତା ମଧ୍ୟରେ ଏକ ନଳକୂପ ଖନନ ଟ୍ରକ ଅଣ ଓସାରିଆ ମାଟି ରାସ୍ତାରେ ଦବି ଯିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା। ସୂଚନାଯୋଗ୍ୟଯେ, ଏହି ପାଟିକୋଟା-ଚନ୍ଦନଖଳା ରାସ୍ତାର ୭୦୦ ମିଟର ମାଟି ଏବଂ ଅଣଓସାରିଆ ଖାଲଖମା ରାସ୍ତା ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ରାସ୍ତା ନିର୍ମାଣକୁ ନେଇ ବାରମ୍ବାର ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ଯ କୌଣସି କାମ ହେଉନାହିଁ। ଏପରିକି ଚଳିତ ସାଧାରଣ ନିର୍ବାଚନରେ ଭୋଟଦାନ କରିବେ ନାହିଁ ବୋଲି ଅଞ୍ଚଳବାସୀ ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ଦିଆଯାଇଥିବାରୁ ଭୋଟବର୍ଜନ ନିଷ୍ପତିରୁ ଲୋକେ ନିବୃତ୍ତ ହୋଇଥିଲେ | ମାତ୍ର ୭୦୦ ମିଟର ମାଟି ତଥା ଅଣଓସାରିଆ ରାସ୍ତା ପକ୍କା ରାସ୍ତା ହୋଇପାରୁ ନଥିବାରୁ ଗୋଷାଣି ଏବଂ ଗୁମ୍ମା ବ୍ଲକର ପ୍ରାୟ ୧୦ ଖଣ୍ଡ ଗ୍ରାମବାସୀ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୩୦ବର୍ଷରୁ ଅଧିକ ସମୟ ଧରି ଚନ୍ଦନଖଳା ଗ୍ରାମକୁ ରାସ୍ତା ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ଏହି ରାସ୍ତା ଦେଇ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଆଦି ଜରୁରୀ ପରିସ୍ଥିତିରେ ଯାତାୟାତ କରିପାରୁନାହିଁ. ଭାରୀଯାନ ଗଲେ ଅଣଓସାରିଆ ମାଟିରାସ୍ତାରେ ଦବି ଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରବିବାର ନଳକୂପ ଖନନ ଗାଡି ମାଟିରେ ଦବି ଯିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଦେବା
ସହ ଉଭୟ ବ୍ଲକର ଚଳାଚଳ କରୁଥିବା ଶତାଧିକ ଦୁଇଚକିଆ ଯାନ ଚାଳକ ଅଟକି ରହିଥିଲେ। ପରେ ବହୁ କଷ୍ଟରେ ଦବି ଯାଇଥିବା ଟ୍ରକକୁ ବାହାର କରିବା ପରେ ଚଳାଚଳ ସ୍ୱଭାବିକ ହୋଇଥିଲା।