ଅଣସର ଅନୁଚିନ୍ତା
ତୁମେ ପଟିଦିଅଁ
ତୁମେ ତାଟିଦିଅଁ
ଲୀଳାକର ନାନା ମତେ,
ଅଣସର ଘରେ
ଜ୍ଜରରେ କମ୍ପୁଛ
ଗୁପ୍ତସେବା ବିଧିମତେ ।
ରତ୍ନସିଂହାସନେ
ପଟ୍ଟିଦିଅଁ ପୂଜା
ଶୁଭଦ୍ରା ଭୁବନେଶ୍ବରୀ,
ପ୍ରଭୁ ବଳଭଦ୍ର
ସାକ୍ଷାତ ଅନନ୍ତ
ବାସୁଦେବ ରୂପଧାରୀ ।
ସ୍ବୟଂ ଜଗନ୍ନାଥ
ନିଜେ ହିଁ ଅନନ୍ତ
ନାରାୟଣ ରୂପ ହୋଇ,
ଭକତ ଜନଙ୍କୁ
ଭାବରେ ବାନ୍ଧନ୍ତି
ଅଣସର ଘରେ ଥାଇ ।
ଦୀପ ଆଲୁଅରେ
ଅଣସର ସେବା
ଘଣ୍ଟି ଘଣ୍ଟା ଶୁଭେ ନାହିଁ,
ଷାଠିଏ ପଉଟି
ନିତି ଭୁଞ୍ଜୁଥିଲେ
ଜ୍ଜରେ କିଛି ରୁଚୁ ନାହିଁ ।
ପଣା ଚକଟାରେ
ଦିନ ବିତୁଅଛି
ଦୟଣା ତୁଳସୀ ନାହିଁ,
ନାନା ରଙ୍ଗ ଫୁଲ
ଅଲୋଡା ହୋଇଛି
ଧଳା ଫୁଲ ସେବା ପାଇଁ ।
ବିଚିତ୍ର ଦିଅଁଙ୍କ
ବିଚିତ୍ର ଲୀଳାକୁ
ବୁଝିବା ନୁହେଁ ସହଜ,
ଜଳରେ ଯିଏ ସେ
ଶୟନ କରନ୍ତି
ସ୍ନାନକରି ଜ୍ଜର ଆଜ ।
ପ୍ରଭୁ ହୋଇ କରି
ମାନବୀୟ ଲୀଳା
ମାନବେ ଦେଲେ ଚେତାଇ,
ଅଣସର ନୀତି
ଆଡମ୍ବର ଶୂନ୍ଯ
ସବୁ ଥାଇ କିଛି ନାହିଁ ।
ଗଦାଧର ସାହୁ, କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ