ଅଣସର ତାଟି
ଅଣସରେ ଆସି
ଅଲାରନାଥଙ୍କୁ
ଦର୍ଶନ କରରେ ମନ,
ଦିନେ ଶ୍ରୀଚୈତନ୍ୟ
ଦରଶନ କରି
ହୋଇଯାଇଥିଲେ ଧନ୍ୟ ।
ଦରଶନ କଲେ
ଚତୁର୍ଦ୍ଧା ମୂରର୍ତ୍ତି
ଶଂଖ ଚକ୍ରଛନ୍ତି ଧରି,
ଗଦା ପଦ୍ମଧାରୀ
ଗୋଲକବିହାରୀ
ଶୁଣନ୍ତି ଭକ୍ତ ଗୁହାରି ।
ଦର୍ଶନ ନ କରି
ମନ ଉଣାକରି
ଅଣସରେ ଶ୍ରୀଚୈତନ୍ୟ,
ଝାସ ଦେଉଦେଉ
ମହୋଦଧି ତୀରେ
ମନେ ଉଦୟେ ଚୈତନ୍ୟ ।
ସ୍ଵପ୍ନାଦେଶ ଥିଲା
ଶୂନ୍ୟବାଣୀ ହେଲା
ଦକ୍ଷିଣକୁ ଆସ ଚାଲି,
ଅଲବନ୍ଦାରର
ଭକତି ଭାବରେ
ଶ୍ରୀକ୍ଷେତ୍ରୁ ଚାଲି ଆସିଲି ।
ତୁମେ ଚାଲିଆସ
ମୋହରି ପାଖକୁ
ମୋହମାୟା ଦୂରେ ଛାଡି,
ବେଶି ଦୂର ନୁହଁ
ତୋ ଦୃଷ୍ଟି ଅଗ୍ରରେ
ଧରତୁ ମୋତେ ଜାବୁଡି ।
ନିତି ଦରଶନ
ମୋତେ ତୁ କରିବୁ
ତୋତେ ତୁ ଚିହ୍ନି ପାରିଲେ,
ଅଣସର ତାଟି
ତୋ ଆଗେ ବାନ୍ଧିଛି
ଦର୍ଶନ ଦେବି ଖୋଲିଲେ ।
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ, ବ୍ରହ୍ମଗିରି,ପୁରୀ