ଅଣାଯିବ ୧ ଲକ୍ଷ ଆଣ୍ଟିଜେନ କିଟ
ଭୁବନେଶ୍ବର:୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ୫ ହଜାରରୁ ଅଧିକ ଟେଷ୍ଟ ହେଉଛି । ଆଗକୁ ୬ ହଜାର ଆରଟି-ପିସିଆର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଣ୍ଟିଜେନ କିଟ ଅଣାଯିବା ପରେ ପ୍ରତି ଜିଲ୍ଲାକୁ ଏହା ପଠାଯିବ । ଏହା ପରେ ପ୍ରତିଦିନ ୨ ହଜାର ଆଣ୍ଟିଜେନ ପରୀକ୍ଷା କରିବାକୁ ଲକ୍ଷ୍ୟ ରହିଛି । ସେହିପରି ପ୍ଲାଜନା ଥେରାପିକୁ ନେଇ ଆଇଏଲଏସ ନିଦେ୍ର୍ଧଶକ କହିଛନ୍ତି ଯେ, ପ୍ଲଜମା ଥେରାପି ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି । କଟକ ଏସସିବି ହସ୍ପିଟାଲ ପ୍ଲାଜମା ଥେରାପିର ହବ ହେବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟରୁ ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ ଅଟେ। ଆଜି ଚିହ୍ନଟ ୭୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୨୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


