ଅଣ ଆଦିବାସୀଙ୍କୁ ଆଦିବାସୀଙ୍କ ଜମି ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିରୋଧ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କର୍ପୋରେଟ ଓ ଧନୀ ଅଣ ଆଦିବାସୀ ଲୋକଙ୍କ ସ୍ଵାର୍ଥରେ ଓଡ଼ିଶା ସରକାର ନିକଟରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନିରାକରଣ ଆଇନ ବା ରେଗୁଲେସନ -୨ରେ ଯେଉଁ ସଂଶୋଧନ କରିବାକୁ ନିଷ୍ପତି ନେଇଛନ୍ତି ତାକୁ ବିଭିନ୍ନ ଆଦିବାସୀ ସଂଗଠନମାନଙ୍କ ତରଫରୁ ବିରୋଧ କରାଯାଇଛି । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମ୍ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ଏହାର ପ୍ରତିବାଦ କରାଯିବା ସହ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଆଦିବାସୀ ଲୋକେ ସ୍ଥାନୀୟ କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଜପତିଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେଥିରେ ରେଗୁଲେସନ -୨ରେ ସଂଶୋଧନ କରି ସରକାର ବଡ କମ୍ପାନୀମାନଙ୍କୁ ଶସ୍ତାରେ ଆଦିବାସୀ ଜମି ହସ୍ତାନ୍ତର କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହା ଆଦିବାସୀଙ୍କୁ ଭୂମିହୀନ କରିଦେବ ଏବଂ ଗରିବୀ ଭିତରକୁ ଠେଲିଦେବ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମର ଆବାହକ କେଦାର ଶବର, ଆଦିବାସୀ ନେତା ତଥା ଏଆଇକେଏମଏସ୍ ଜିଲ୍ଲା କମିଟି ସଦସ୍ୟ କାଡୁକା ଶବର, ସମ୍ବରା ଶବର, କାରୁକା ଶବର ପ୍ରମୁଖ ଯୋଗ ଦେଇଥିଲେ ।