ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଥିବା ମାମଲାକୁ ଜିଲ୍ଲାଜଜ କୋର୍ଟର ସରକାରୀ ଓକିଲ ପରିଚାଳନା କରିବେ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳ ଗ୍ରାମର ଗଗନ ଦାସଙ୍କ ପତ୍ନୀ ତୁଳସୀ ଦାସ ରାଜ୍ୟ ପ୍ରସିକ୍ୟୁସନ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅଙ୍କୁ ବିଗତ ୨୦୨୭ ମସିହା ମଇ ମାସ ୨୪ ତାରିଖରେ ତାଙ୍କ ଗ୍ରାମ ପାଖ ଗୋରଖନାଥ ମନ୍ଦିରରେ ବିବାହ ଦେଇଥିଲେ । ତା’ର ଶାଶୁଘର ଲୋକମାନେ ଅଧିକ ଯୌତୁକ ଦାବି କରି ସେହି ଅନୁଯାୟୀ ଅଧିକ ଯୈାତୁକ ନପାଇବାରୁ ଝିଅର ଗୋଡ ହାତ ଖଟ ଗୋଡରେ ବାନ୍ଧି କିରୋସିନି ଢାଳି ନିଆଁ ଲଗାଇ ମାରିଦେଇଥିଲେ । ଏସମ୍ପର୍କରେ ଝିଅର ମା’ ତୁଳସୀ ଦାସ ୨୦୧୮ମସିହା ଡିସେମ୍ବରମାସ ୩ତାରିଖରେ ମାର୍ଶାଘାଇ ଥାନାରେ ଏକ ଏତଲା ଦେଇଥିଲେ । ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ମାର୍ଶଘାଇ ଥାନା ପୋଲିସ ବହୁ ବିଳମ୍ବରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ । ହତ୍ୟା ମାମଲା ଭଳି ଏକ ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ଆସାମୀମାନେ ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ କାର୍ଯ୍ୟରତ ସରକାରୀ ଓକିଲଙ୍କ ସହଯୋଗରେ ଖୁବଶୀଘ୍ର ଜାମିନ ପାଇଯାଇଥିବା ସେ ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟର ସରକାରୀ ଓକିଲ ସଞ୍ଜୟ ଜେନା ତାଙ୍କ ଠାରୁ ବାରମ୍ବାର ପଇସା ନେବା ସତ୍ତ୍ୱେ ମୁଦାଲାମାନଙ୍କୁ ସହଯୋଗ କରିଆସୁଥିବା ସେ ଅଭିଯୋଗ କରିଥିଲେ । ଏହାକୁ ଦୃଷ୍ଟାନ୍ତମୂଳକ ମାମଲା କରିବା ପାଇଁ ଅନ୍ୟ ଜଣେ ସଚ୍ଚୋଟ ଓକିଲଙ୍କ ଦ୍ୱାରା ପରିଚାଳନା କରିବା ପାଇଁ ଶ୍ରୀମତୀ ଦାସ ରାଜ୍ୟ ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକଙ୍କୁ ନିବେଦନ କରିଥିଲେ । ତାଙ୍କ ଅଭିଯୋଗକୁ ପବ୍ଲିକ ପ୍ରୋସିକ୍ୟୁସନ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ତଦନ୍ତ କରି ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ ଗତ ଜାନୁୟାରୀ ୯ତାରିଖରେ ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେଇଥିଲେ ଯେ ଏହି ମାମଲାକୁ ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ଥିବା ସରକାରୀ ଓକିଲ ଶ୍ରୀ ଜେନାଙ୍କ ପରିବର୍ତ୍ତେ ଜିଲ୍ଲା ଜଜ କୋର୍ଟର ସରକାରୀ ଓକିଲ ପରିଚାଳନା କରନ୍ତୁ । ଏହି ରିପୋର୍ଟ ପାଇବା ପରେ ରାଜ୍ୟ ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକ କେନ୍ଦ୍ରାପଡା ଜିଲ୍ଲା ଜଜ କୋର୍ଟର ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ବିଚାରାଧିନ ଥିବା ଏସ୍.ଟି. ୧୯୦/୨୦୧୯ ନମ୍ବର ମାମଲାକୁ ସେ ପରିଚାଳନା କରିବେ । ତୁଳସୀ ଦାସ ତାଙ୍କ ଝିଅର ମୃତ୍ୟୁ ସମ୍ପର୍କରେ ୨୦୧୮ ମସିହା ଡିସେମ୍ବର ୩ତାରିଖରେ ଏତଲା ଦେଇଥିଲେ । ଏଭଳି ନିର୍ଦ୍ଦେଶ କେନ୍ଦ୍ରାପଡା ବିଚାର ବିଭାଗ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।


