ଅତିରିକ୍ତ ଶିକ୍ଷା ସଚିବଙ୍କ ବେଲଗୁଣ୍ଠା ଗସ୍ତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଦୀର୍ଘ ନଅ ମାସ ପରେ ଗତ ଆଠ ତାରିଖରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ପଦ୍ଧତି ଏବଂ କୋଭିଡ କଟକଣା ଭିତରେ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସ୍ଥିତି ପରଖିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଶିକ୍ଷା ସଚିବ ରଘୁରାମ ଆର୍ ଆୟାର୍ ଆଜି ବେଲଗୁଣ୍ଠା ଗସ୍ତରେ ଆସି ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମ ଏବଂ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ I ଆଜି ପ୍ରଥମେ ଅତିରିକ୍ତ ଶିକ୍ଷା ସଚିବ ଶ୍ରୀ ଆୟାର୍ ,ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଜିଲ୍ଲା ଶାରୀରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ସ୍ୱାଇଁ, ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ସହିତ ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ପହଞ୍ଚି ସେଠାକାର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥିତି, ବିଜ୍ଞାନାଗାର ,ପାଠାଗାର ,ପରିବେଶ ଆଦିକୁ ଅନୁଧ୍ୟାନ କରି ଖୁସି ପ୍ରକଟ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ଉପରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀଙ୍କ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ I ଏହା ପରେ ସେମାନେ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଆବଶ୍ୟକ ଭିତ୍ତିଭୂମି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପଲବ୍ଧ ଥିଲେ ମଧ୍ଯ ଛାତ୍ରଛାତ୍ରୀଙ୍କ କମ୍ ଉପସ୍ଥାନ ଏବଂ କୋଭିଡ ଏସ୍ଓପି ପାଳନରେ ଅନିୟମିତତା ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ତ୍ରୁଟି ଗୁଡ଼ିକୁ ଯଥା ଶୀଘ୍ର ସୁଧାରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଗିଦ୍ କରିବା ସହ ଉପସ୍ଥାନ ବୃ୍ଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ନିୟମିତ ଉପସ୍ଥାନ ରିପୋର୍ଟ ପ୍ରଦାନ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ I ଅତିରିକ୍ତ ଶିକ୍ଷା ସଚିବ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମେଣ୍ଟର୍ ଙ୍କୁ ଆବଶ୍ୟକ ସ୍ଥଳେ ଛାତ୍ର ଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ଗୁଣାତ୍ମକ ଶିକ୍ଷା ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ I ଶହେ ଦିନର ପାଠ ପଢ଼ାକୁ ଗୁରୁତ୍ୱର ସହିତ ନେଇ ଜିଲ୍ଲାରେ ମାଟ୍ରିକ୍ ଫଳାଫଳକୁ ଶତକଡ଼ା ଶହେ ପ୍ରତିଶତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ପରାମର୍ଶ ଦେବା ସହ ସ୍ଵଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ ଅତିରିକ୍ତ ଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ