ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାରେ ରେଳବାଇ କ୍ରମାଗତ ଭାବେ କାର୍ଯ୍ୟ କରି ଚାଲିଛି
ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ର ପ୍ରଭାବ ରୋକିବା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ୍ ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ କ୍ରମାଗତ ପ୍ରୟାସ ଜାରି ରଖି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଚାଲିଛି । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ରେଳବାଇ ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ କୃଷି ଉତ୍ପାଦ ପରିବହନ ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ମାର୍ଚ୍ଚ ୨୩ ଠାରୁ ରେଳବାଇ ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟ ଭାବେ ଖାଦ୍ୟଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ଏବଂ ପେଟ୍ରୋଲିୟମ ଉତ୍ପାଦ ଆଦି ୪.୫୦ ଲକ୍ଷ ୱାଗନ ସମେତ ପ୍ରାୟ ୬.୭୫ ଲକ୍ଷ ୱାଗନ ସାମଗ୍ରୀ ପରିବହନ କରିଛି । ଅପ୍ରେଲ ୨ ରୁ ୮ତାରିଖରେ ଶେଷ ହୋଇଥିବା ସପ୍ତାହରେ ରେଳବାଇ ମୋଟ ୨୫୮୫୦୩ ୱାଗନର ସାମଗ୍ରୀ ଯୋଗାଇ ଦେଇଥିଲା । ଯେଉଁଥିରେ ୧୫୫୫୧୧ ୱାଗନର ଅତ୍ୟାବଶ୍ୟକ ସାମଗ୍ରୀ ଥିଲା । ଏଥିମଧ୍ୟରେ ୨୧୨୪୭ ୱାଗନ ଖାଦ୍ୟଶସ୍ୟ, ୧୧୩୩୬ ୱାଗନ ସାର, ୧୨୪୭୫୯ ୱାଗନ କୋଇଲା ଏବଂ ୭୭୬୬୫ ୱାଗନ ପେଟ୍ରୋଲିୟମ ଉତ୍ପାଦ ଥିଲା । କେନ୍ଦ୍ର ସରକାର କୋଭିଡ-୧୯ ମହାମାରୀ ବ୍ୟାପକତା ପରିପ୍ରେକ୍ଷୀରେ ୨୧ ଦିନିଆ ଲକଡାଉନ୍ ସମୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ପାଇଁ ନିୟମରେ କୋହଳ କରିଛନ୍ତି । ଯେପରି କୃଷି କାର୍ଯ୍ୟପାଇଁ କୃଷକମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ । ଅନ୍ୟପକ୍ଷରେ ଆଗାମୀ ଖରିଫ ଋତୁରେ କୃଷକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇ ଦେବାପାଇଁ କେନ୍ଦ୍ରସାର ଓ ରସାୟନ ମନ୍ତ୍ରଣାଳୟ ସମସ୍ତ ପ୍ରକାରର ପ୍ରୟାସ କରୁଛି । ରାଜ୍ୟ ସରକାର ଏବଂ ରେଳ ମନ୍ତ୍ରଣାଳୟ ସହିତ ଯୋଗାଯୋଗ ରକ୍ଷା କରି ସାର ଓ ରସାୟନ ମନ୍ତ୍ରଣାଳୟ ସାର ଉତ୍ପାଦନ, ପରିବହନ ଏବଂ ଉପଲବ୍ଧତାକୁ ଅନୁଧ୍ୟାନ କରୁଛି । କୋଭିଡ-୧୯ ଲକଡାଉନ୍ ଜାରି ରହିଥିବା ପରିପ୍ରେକ୍ଷୀରେ ରେଳବାଇ ଭାରତୀୟ ଖାଦ୍ୟ ନିଗମ ସହ ଯୋଗାଯୋଗ ରକ୍ଷାକରି ମାର୍ଚ୍ଚ ୨୪ ତାରିଖ ପରଠାରୁ ୮୦୦ ରେକ୍ ବା ୨୦ ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଦ୍ୟଶସ୍ୟ ଦେଶର ବିଭିନ୍ନ ସ୍ଥାନରେ ପହଂଚାଇଛି । ଖାଦ୍ୟଶସ୍ୟର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏଫସିଆଇ ରେଳବାଇ ମାଧ୍ୟମରେ ସାରା ଦେଶରେ ଚାଉଳ ଓ ଗହମ ପହଂଚାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବିଶେଷ କରି ଶୀଘ୍ର ନଷ୍ଟ ହୋଇ ଯାଉଥିବା ଉଦ୍ୟାନ ଉତ୍ପାଦ, ମଞ୍ଜି, କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ପାଇଁ ରେଳବାଇ ୧୦୯ ଟାଇମ୍ ଟେବୁଲ ପାର୍ସଲ ଟ୍ରେନ୍ ସେବା ଆରମ୍ଭ କରିଛି । ଲକ୍ ଡାଉନ୍ ଆରମ୍ଭ ସମୟରୁ ପ୍ରାୟ 59ଟି ରୁଟ୍ ରେ (୧୦୯ଟି ଟ୍ରେନ୍) ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ ଚଳାଚଳ କରୁଛି । ଏହାଦ୍ୱାରା ଭାରତର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହରରେ ଶୀଘ୍ର ନଷ୍ଟ ହୋଇଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦ୍ରୁତ ଗତିରେ ପହଂଚିପାରୁଛି । ଆବଶ୍ୟକତା ଅନୁସାରେ ଏହି ସେବାକୁ ପୁଣି ବହୁଗୁଣିତ କରି ଦିଆଯିବ । କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ(ଏମଏଚଏ) ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ, ଔଷଧ ଏବଂ ମେଡିକାଲ ଉପକରଣର ବିନିର୍ମାଣ/ଉତ୍ପାଦନ ଏବଂ ପରିବହନ ସମ୍ପର୍କିତ ଯୋଗାଣ ଶୃଙ୍ଖଳ ଗତିବିଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।


