ଅଦିନିଆ ବର୍ଷାରେ ଅଞ୍ଚଳ ବେହାଲ
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ଗତ ୨ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ପ୍ରଦାନ କରିଥିଲା।ରାଜ୍ୟର କେତେକ ଅଞ୍ଚଳରେ ଅଧିକ ବର୍ଷର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାନିଂ ଜାରୀ ହୋଇଥିଲା।ରବିବାର ଅପରାହ୍ନ ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ପ୍ରବଳ ବେଗରେ ପବନ ବୋହିବା ସହ ଅଦିନିଆ ବର୍ଷାର ପ୍ରକୋପ ଦେଖାଦେଇଛି।ପବନ ର ତୀବ୍ରତା ଜୋର ଥିବା ବେଳେ ବର୍ଷାର ପ୍ରକୋପ ବି କିଛି କମ ନ ଥିଲା।ଆକାଶରେ କଳା ରଙ୍ଗର ବାଦଲ ମାଡି ଆସିବା ସହ ଅଞ୍ଚଳରେ ତାଣ୍ଡବ ରଚି ଥିଲା।ଗଛ ପତ୍ର, ଚାଳ ଛପର ଏବଂ ଟିଣ ଆଦି ସାମଗ୍ରୀ ବିକ୍ଷିପ୍ତ ଭାବେ ଏଣେତେଣେ ପଡିଥିବା ସହ ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ଓ ପବନ ହୋଇଥିଲା। ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବର୍ଷା ଓ ମଇଳା ପାଣି ପ୍ରବଳ ବେଗରେ ବୋହି ଚାଲିଥିଲା।ଆଙ୍କରଡା ଗ୍ରାମ କପିଳେଶ୍ୱର ମନ୍ଦିର ରାସ୍ତା ଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ରେ ନିର୍ମାଣାଧୀନ ଯୋଗୀ ବନ୍ଧ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ୱରେ ଏଭଳି ସ୍ଥିତି ଲାଗି ରହି ପରିସ୍ଥିତି ସଙ୍ଗିନ ହୋଇଥିଲା। ସହରର ସୌନ୍ଦର୍ଯ୍ୟକରଣ ପ୍ରତି ସ୍ଥାନୀୟ ପୌର ପ୍ରଶାସନ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଏବେ ବି ବିଭିନ୍ନ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଦେଖାଯାଇଛି।ଫଳରେ ଅଦିନିଆ ବର୍ଷାର ଦାଉ ସାଙ୍ଗକୁ ନାଳ ନର୍ଦ୍ଦମାର ପୁତିମୟ ଗନ୍ଧ ରେ ଅଞ୍ଚଳ ବାସୀଙ୍କ ନାକ ଫାଟି ଯାଉଥିବା ଜଣାପଡିଛି। ବିପର୍ଯ୍ୟସ୍ତ ପରିମଳ ପ୍ରତି ଅଣ ନିଶ୍ୱାସୀ ହୋଇ ଆଉଟୁ ପାଉଟୁ ହେଉଥିବା ଅଞ୍ଚଳ ବାସୀ ପ୍ରଶାସନର ସହଯୋଗ ଲୋଡିଛନ୍ତି।