ଅଧପନ୍ତରିଆ ରାଣୀପାଟଣା ରାସ୍ତା ପରିଦର୍ଶନ କଲେ ସଦର ବିଧାୟକ
ବାଲେଶ୍ୱର, (ସରୋଜ ପଣ୍ଡା): ସହରର ଝାଡ଼େଶ୍ୱର ମନ୍ଦିର ଛକ-ଦର୍ଜିପୋଖରୀ ରାସ୍ତା ନବୀକରଣର ମନ୍ଥର କାର୍ଯ୍ୟଧାରାକୁ ନେଇ ବୃଦ୍ଧି ପାଇଥିବା ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ସଦର ବିଧାୟକ ସ୍ୱରୂପ କୁମାର ଦାସ ସହଯୋଗୀଙ୍କ ସହ ଶୁକ୍ରବାର କ୍ଷେତ୍ର ତଦନ୍ତ କରିଛନ୍ତି । ମନ୍ଥର କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ବିଧାୟକ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କୁ କୈଫିଅତ ତଲବ କରିଥିବା ଦେଖିବାକୁ ମିଳିଥିଲା । ଏହି ରାସ୍ତା ନବୀକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ସେ ଠିକାଦାରଙ୍କ ସମେତ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ବିଭାଗର ପାଇପ ବିଛାରେ ବିଳମ୍ବ ଯୋଗୁଁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଥିବା ଜାଣିବା ପରେ ସେ ବିଭାଗୀୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ । ତୁରନ୍ତ ପାଣି ପାଇପ ବିଛା କାର୍ଯ୍ୟ ଶେଷ ପାଇଁ ସେ କହିଛନ୍ତି । ପୂର୍ତ୍ତ ବିଭାଗ ମଧ୍ୟ ସପ୍ତାହ ମଧ୍ୟରେ କାର୍ଯ୍ୟ ଶେଷ କରିବ ବୋଲି ବିଧାୟକ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି । ଏଥି ସହିତ ସହରର ବିପର୍ଯ୍ୟସ୍ତ ନିଷ୍କାସନ ବ୍ୟବସ୍ଥାକୁ ନେଇ ସେ ଉଦବେଗ ପ୍ରକାଶ ସହ ଏହାର ସ୍ଥାୟୀ ପ୍ରତିକାର ନେଇ ଆରମ୍ଭ ରହିଥିବା ଅଭିଯାନ ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସହରର ଆୟତ୍ତନ ବଢ଼ି ଚାଲିଥିବା ବେଳେ ନିଷ୍କାସନ ବ୍ୟବସ୍ଥାର ସୁଧାର ପାଇଁ ଏବେ ୧୦ କୋଟି ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି । ବିଶେଷ କରି ଅବରୋଧ ଉଚ୍ଛେଦ ସାଙ୍ଗକୁ ସହରର ନାଳ ଓ ମହାନାଳ ପୁନରୁଦ୍ଧାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଦୀର୍ଘ ବର୍ଷେ ଧରି ଦେଢ଼କୋଟି ଟଙ୍କା ଅଟକଳରେ ଝାଡ଼େଶ୍ୱର ମନ୍ଦିର-ଦର୍ଜିପୋଖରୀ ରାସ୍ତାର ଚାଲିଥିବା ଅଧପନ୍ତରିଆ ନବୀକରଣ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଦାନା ବାନ୍ଧିଥିବା ଅସନ୍ତାଷ ଗତକାଲି ସଂଧ୍ୟାରେ ତୀବ୍ର ରୂପ ନେଇଥିଲା । ରାଣୀପାଟଣା ଛକରୁ଼ୁ କଚେରୀ ରାସ୍ତାକୁ ଆସୁଥିବା ଏକ ମିନିଟ୍ରକ ଝାଡ଼େଶ୍ୱର ମନ୍ଦିରଠାରୁ ୫୦ ଫୁଟ ଦୂରରେ ଫସି ଯାଇଥିଲା । ଦୁଇପାର୍ଶରେ ଚାଲିଥିବା ଡ୍ରେନ କାର୍ଯ୍ୟ, ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ପଡ଼ିରହିବା ଓ ସେହି ସ୍ଥାନରେ ଟ୍ରକ ଅଟକି ରହିବା ଫଳରେ ସେହି ରାସ୍ତାରେ ପ୍ରାୟ ୪ଘଣ୍ଟା ଧରି ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।