ଅଧରପଣା

ଅଧର ଲଗାଇ
ପିଇବ କି ପଣା
ଆଧାର ଅଧର ଉଚ୍ଚା,
ଆଜି କ’ଣ ସୁନା
ଅଭାବ ପଡିଲା
ମାଟିପାତ୍ରେ ପଣା ଚର୍ଚ୍ଚା ।

ମହଣ ମହଣ
ସୁନାର ମାଲିକ
ମାଟିପାତ୍ରେ ଭୋଗ ପଣା,
ଭାବ ତତ୍ତ୍ବ ଅର୍ଥ
ବୁଝାଇ ନ ଦେଲେ
ସର୍ବେ ହେବେ ବାଟବଣା ।

ମାଟିର ଏ ଦେହ
ମାଟିରେ ମିଶିବ
ମାଟି ପାଇଁ ମାୟା ମୋହ,
ମାଟି ପାତ୍ରେ ପଣା
ପବିତ୍ର ମଙ୍ଗଳ
ସୁନାବେଶ ମାୟା ମୋହ ।

ପାର୍ଶ୍ବ ଦେବାଦେବୀ
ଅଶରୀରୀ ଆତ୍ମା
ଚଣ୍ଡି, ଚାମୁଣ୍ଡା ସର୍ବେ ହିଁ,
ଅଧର ପଣାକୁ
ପାନ କରିବାକୁ
ବର୍ଷେ ରହିଛନ୍ତି ଚାହିଁ ।

ମାଟିର ତୁମ୍ବା ଏ
ଭାଙ୍ଗିବା ସହଜ
ମିଶିଯାଏ ମାଟି ହୋଇ,
ଅଶରୀରୀ ଆତ୍ମା
ପଣା ପିଇ ତୃପ୍ତ
ଦେହଧାରୀ ଥାଏ ଚାହିଁ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ