ଅଧାପନ୍ତରିଆ ପୋଲ ଯୋଗୁଁ ବଢ଼ୁଛି ଦୁର୍ଘଟଣା, ୪ଦିନରେ ୭ଦୁର୍ଘଟଣା, ୧୦ ଆହତ
ହାଟଡ଼ିହି : ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ଚୋରଗଡିଆ ଛକ ନିକଟରେ ଥିବା କେନାଲ ପୋଲ ଓ ଛନାପଦି ପେଟ୍ରୋଲ ପମ୍ପ ନିକଟରେ ଥିବା କେନାଲ ପୋଲ ନିର୍ମାଣ ସରୁନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ଘଟୁଛି । ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲୋକମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ଦେଖିବାକୁ ମିଳିଛି । ଖବରରୁ ଜଣାଯାଇଛି ଯେ ଆନନ୍ଦପୁର ଭଦ୍ରକ ରାସ୍ତା ସଂପ୍ରସାରଣ ବେଳେ ଠିକାଦାର ଚୋରଗଡିଆ ଛକ ଓ ଛେନାପଦି ପେଟ୍ରୋଲ ପମ୍ପ ନିକଟରେ ଥିବା କେନାଲ ପୋଲ ଦୁଇଟିକୁ କାମ ନକରି ଖୋଳି ପକାଇ ଦେଇ ପଳାଇଥିଲେ । ବହୁ ଦାବିପରେ ଚୋରଗଡିଆ ଛକ ନିକଟରେ ପୋଲଟି ନିର୍ମାଣ କରି ପିଚୁ କରାଯାଇଥିଲେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ତାହା ଦବିଯାଇ ଗର୍ତ ହେବାରୁ ଠିକାଦାର ଏହି ପୋଲଟିକୁ ପୁନର୍ବାର ଖେଳି ଦେଇଥିଲେ । ସେହିଦିନ ଠାରୁ ପୋଲ ଟିକୁ ଖୋଳିଦେଇ ଦୁଇପଟେ କିଛି କିଛି ମାଟି ପକାଇ ଦେଇ କାମ ବନ୍ଦ କରିଦେଇଥିବାରୁ ପ୍ରତି ରାତିରେ କିଛିନା କିଛି ଦୁର୍ଘଟଣା ଘଟୁଛି । ବାହାର ଅଞ୍ଚଳର ଲୋକମାନେ ହଠାତ ରାତିରେ ରାସ୍ତାଖୋଳା ଜାଣି ନପାରି ଦୁର୍ଘଟଣାର ଶୀକାର ହେଉଛନ୍ତି । ଗତ ୪ଦିନ ଭିତରେ ସାତ ସାତଟି ଦୁର୍ଘଟଣା ଘଟି ୧୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ସମ୍ମୁଖରୁ ଗାଡି ଆଲୁଅ ପଡିଯିବାରୁ ପୋଲର ସ୍ଥିତି ସମ୍ପର୍କରେ ଜାଣି ନପାରି ମାଟି ଉପରକୁ ଚଢ଼ିଯାଇ ପୋଲ ଗାତରେ ଖସିପଡି ପଡି ଆହତ ହୋଇଥିବାବେଳେ ଗତକାଲି ରାତି ୯ଟାବେଳେ ଦୁଡୁଗାଁର ଦୁଇଜଣ ଯୁବକ ବାଇକ ସହିତ ପୋଲ ଭିତରକୁ ଖସିପଡିଥିଲେ । ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା । ସେହିପରି ଛେନାପଦି ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତିରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଆଜି ମଧ୍ୟ ଚୋରଗଡିଆ ଛକ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇ ଦମକଳ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଉଦାସୀନତା ଯୋଗୁଁ ଏପରି ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସମିର ଅଧିକାରୀଙ୍କୁ ପଚାରିବାରେ ସେ ଜଳସମ୍ପଦ ବିଭାଗ ସହିତ ଆଲୋଚନା କରି ତୁରନ୍ତ ପୋଲକାମ ସମ୍ପୁର୍ଣ୍ଣ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।