ଅଧାପନ୍ତରିଆ ହୋଇ ପଡିରହିଛି ନାଉଗାଁ ବସଷ୍ଟାଣ୍ଡ;ଷ୍ଟାଣ୍ଡ ପାଇଁ ଚିହ୍ନଟ ଜାଗାରେ ଚାଲିଛି ଜବରଦଖଲ ନିର୍ମାଣ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦୀର୍ଘଦିନ ହେବ ବିଭିନ୍ନ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଥିଲା । ଜନସାଧାରଣଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ନାଉଗାଁରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପାରାଦୀପ ପୋର୍ଟ ପକ୍ଷରୁ ୨୦୧୫ ରେ ଆର୍ଥୀକ ଅନୁଦାନ ପ୍ରଦାନ କରାଯାଇଥିଲା । ଆର୍ଥୀକ ଅନୁଦାନ ଆସିବା ପରେ ତହସିଲ ପକ୍ଷରୁ ବସଷ୍ଟାଣ୍ଡ ପାଇଁ ସ୍ଥାନ ସ୍ଥିର କରାଯାଇଥିଲା । ଉକ୍ତ ଅନୁଦାନକୁ ବିନିଯୋଗ କରିବା ପାଇଁ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପରେ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସୂଚନାଫଳକରେ ଥିବା ତଥ୍ୟ ଅନୁସାରେ ଉକ୍ତ ନିର୍ମାଣ କାର୍ଯ୍ୟ ୧୩ ଜୁଲାଇ ୨୦୧୭ରେ ଆରମ୍ଭ କରାଯାଇଥିବା ବେଳେ ୧୨ ଡିସେମ୍ବର ୨୦୧୭ ରେ ଶେଷ କରିବା କଥା । କିନ୍ତୁ ଅବଧି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ସରି ନଥିବା ଜଣାଯାଇଛି । ବସଷ୍ଟାଣ୍ଡର କାର୍ଯ୍ୟ ସରି ନଥିବା ବେଳେ ବସଷ୍ଟାଣ୍ଡ ପାଇଁ ଚିହ୍ନଟ ସ୍ଥାନରେ ଜୈନିକ ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବଜାର କମିଟି ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ବଜାର କମିଟିର ସଭାପତି ଅଶୋକ ମହାନ୍ତି, ସଂପାଦକ ଜଗନ୍ନାଥ ଦାସ, ସଦସ୍ୟ ଅନୁ ନାୟକ, ଦେବଜ୍ୟୋତି ମହାନ୍ତି, ନାରାୟଣ ପଟ୍ଟନାୟକ, ଦୀପୁ ଲେଙ୍କା ଆଦି ବିରୋଧ କରିବା ସହିତ ଉକ୍ତ ଗୃହକୁ ଭାଙ୍ଗିବା ପାଇଁ ଜୈନିକ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ଉକ୍ତ ସ୍ଥାନରେ ଯେଉଁ ଦୋକାନୀମାନେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସେମାନଙ୍କୁ ସେହି ସ୍ଥାନରୁ ଉଠାଯାଇ ବସଷ୍ଟାଣ୍ଡ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା । ସେହି ଦୋକାନୀମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ ମଧ୍ୟ କରାଯାଇନାହିଁ । ତେବେ କାହା ଇଙ୍ଗିତରେ ବସଷ୍ଟାଣ୍ଡ ଭିତରେ ଗୃହ ନିର୍ମାଣ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ବଜାର କମିଟିର ସଦସ୍ୟମାନେ ଦାବି କରିଛନ୍ତି ।


