ଅଧାରୁ ପାଠ ଛାଡ଼ିଥିବା ବିଦ୍ୟାର୍ଥୀଙ୍କର ମାଟ୍ରିକ୍ ପରୀକ୍ଷାରେ ଶତ ପତିଶତ ସଫଳତା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କର ମାଟ୍ରିକ୍ ପାସ୍ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ“ପ୍ରଥମ ଏଜୁକେସନ୍ ଫାଉଣ୍ଡେସନ୍‌”ଏହାର ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ୍ ମାଧ୍ୟମରେ ଦୀର୍ଘ ନଅବର୍ଷ ଧରି ଓଡ଼ିଶାର ତିନି ଗୋଟି ଜିଲ୍ଲାରେ କାର୍ଯ୍ୟ କରିଆସୁଅଛି । ପ୍ରୋଗ୍ରାମ୍‌ର ରୂପରେଖ ଅନୁସାରେ ଯେଉଁ ପିଲାମାନେ କୌଣସି କାରଣବଶତଃ ନିଜର ସ୍କୁଲ୍‌ଶିକ୍ଷାକୁ ଅଧାରୁ ଛାଡ଼ି ଦେଇଥାନ୍ତି, ସେହି ପିଲାଙ୍କୁ ସେମାନଙ୍କର ନିଜଗ୍ରାମରେ ପୁନଃ ପାଠ ପଢ଼ା ଚାଲୁ ରଖି ସିଧାସଳଖ ମାଟ୍ରିକ୍ ପରୀକ୍ଷାରେ ଉତିର୍ଣ୍ଣ କରିବା ପାଇଁ ପ୍ରଥମ ନିଜର ଟିମ୍ ମାଧ୍ୟମରେ ଚେଷ୍ଟା ଜାରି ରଖିଛି ।ପ୍ରତିବର୍ଷ ଭଳି ଏହି ବର୍ଷ(୨୦୨୦-୨୧) ପ୍ରଥମ ଓଡ଼ିଶାର ଏହି ପ୍ରୋଗ୍ରାମ୍ ମାଧ୍ୟମରେ ଧର୍ମଶାଳା ବ୍ଲକ୍‌ର (ଯାଜପୁର) ୧୦୮ ପିଲା, ବୁଗୁଡ଼ାବ୍ଲକ୍‌ର (ଗଞ୍ଜାମ) ୧୧୩ ପିଲା ଏବଂ ଗୁଣୁପୁର ବ୍ଲକ୍‌ର ୧୦୦ ପିଲା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସବୁଠାରୁ ଖୁସିର କଥା ହେଉଛି ମୋଟ୍ ୩୨୧ ବିଦ୍ୟାର୍ଥୀଙ୍କ ମଧ୍ୟରୁ ସମସ୍ତ ପିଲା ସଫଳତା ସହିତ କୃତକାର୍ଯ୍ୟ ହୋଇଛନ୍ତି । ଏହା ବିଦ୍ୟାର୍ଥୀ, ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ଖୁୁସିର ଲହର ଖେଳି ଯାଇଛି । ପ୍ରୋଗ୍ରାମ୍‌ର ଏହି ସଫଳତା ପାଇଁ ପ୍ରଥମ ଓଡ଼ିଶାର ରାଜ୍ୟ ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳୀ ପରିଡ଼ା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପ୍ରୋଗ୍ରାମ୍ ଟିମ୍ ମେମ୍ବରମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ