ଅଧାରୁ ପାଠ ଛାଡ଼ିଥିବା ବିଦ୍ୟାର୍ଥୀମାନେ ସ୍କୁଲ୍କୁ ଫେରିଲେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମହାମାରୀ କରୋନା ଯୋଗୁଁ ଗତ ଦୁଇଟି ଶିକ୍ଷାବର୍ଷ ବାଧାପ୍ରାପ୍ତ ହୋଇଥିବା ବେଳେ ଅଧାରୁ ପାଠ ଛାଡ଼ିଥିବା କିଛି ବିଦ୍ୟାର୍ଥୀମାନେ ଏବେ ସ୍କୁଲ୍କୁ ଫେରିଥିବାର ଜଣାପଡ଼ିଛି । ବିଦ୍ୟାଳୟକୁ ଫେରିଥିବା ବିଦ୍ୟାର୍ଥୀମାନେ ହେଉଛନ୍ତି ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଛତାବର ଗ୍ରାମପଞ୍ଚାୟତ ଅଧିନସ୍ଥ କନ୍ଦଳେଇ ଆଦିବାସୀପଲ୍ଲୀର । କରୋନା କାଳରେ ଯେଉଁଭଳି ରୂପେ ପ୍ରତିକୂଳ ପରସ୍ଥିତି ସୃଷ୍ଟି ହୋଇଥିଲା ଗାଁର ଅନେକ ବିଦ୍ୟାର୍ଥୀ ବହି ବସ୍ତାନୀରେ ଡ଼ୋରି ବାନ୍ଧି ଦେଇଥିଲେ । ଉଦ୍ବେଗର ବିଷୟ ଡ୍ରପ୍ ଆଉଟ୍ ହାର ବୃଦ୍ଧି ପଛରେ ସର୍ବାଧିକ ଥିଲେ ଅନୁସୂଚିତ ଜନଜାତିବର୍ଗର ବିଦ୍ୟାର୍ଥୀ । ଏନେଇ ଗତ ଦୁଇମାସ ତଳେ ଗାଁରେ ଆରମ୍ଭ କରାଯାଇଥିଲା ‘ଆସ ଆମେ ସ୍କୁଲ୍କୁ ଯିବା’ ସଚେତନତା କାର୍ଯ୍ୟକ୍ରମ । ଗାଁରେ ଉକ୍ତ କାର୍ଯ୍ୟକ୍ରମକୁ ଦୁଇମାସ ଧରି ନିରବଚ୍ଛିନ୍ନ ଓ ନିରନ୍ତର ଭବେ ଚାଲୁ ରଖାଯାଇଥିଲା । ଗାଁର ବିକାଶ ନେଇ କାର୍ଯ୍ୟ ଜାରି ରଖିଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଏଥିରେ ସାମାଜିକ କର୍ମୀ, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ପ୍ରଧାନ ଶିକ୍ଷକ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବରିଷ୍ଠ ଅଧିକାରୀ ଏବଂ ଗ୍ରାମବାସୀମାନଙ୍କ ସହଯୋଗ ଯୋଗୁଁ ଏହା ସଫଳ ହୋଇପାରିଛି ବୋଲି ଶ୍ରୀ ସାହୁ କହିଛନ୍ତି । ଦୁଇମାସ ଭିତରେ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ବିଦ୍ୟାର୍ଥୀମାନଙ୍କ ଜାତିଗତ ପ୍ରମାଣପତ୍ର ଆବେଦନ କରି ଯୋଗାଡ଼ କରିବା ଏବଂ ବିଦ୍ୟାର୍ଥୀମାନଙ୍କୁ ପାଠ୍ୟ ଉପକରଣ ଇତ୍ୟାଦି ଯୋଗାଇ ଦେବା ପରି କାର୍ଯ୍ୟକ୍ରମ ଏହି ପରିପ୍ରେକ୍ଷୀରେ ହାତକୁ ନିଆଯାଇଥିଲା । ଫଳସ୍ୱରୂପ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରି ସ୍କୁଲ୍କୁ ଫେରିବା ସମ୍ଭବ ହୋଇପାରିଛି । ଗାଁ ନିକଟରେ ଥିବା ଭଗବତୀପୁର ଆଶ୍ରମ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଯାଇଛି । ବିଦ୍ୟାର୍ଥୀମାନେ ହଷ୍ଟେଲରେ ରହି ପାଠ ପଢିବେ । ଛତାବର ଗ୍ରାମପଞ୍ଚାୟତର ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ର୍ରିୟବ୍ରତ ପଣ୍ଡା, ଏବଂ ବିଦ୍ୟାର୍ଥୀମାନଙ୍କ ଅଭିଭାବକମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ରାଉତ ବିଦ୍ୟାର୍ଥୀମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମାଜସେବୀମାନଙ୍କର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିବାର ଜଣାପଡ଼ିଛି ।