ଅଧ୍ୟକ୍ଷଙ୍କ ଅତ୍ୟାଚାର ସହିନପାରି ମୁକବଧିର ପିଲା ଫେରାର
କୋଦଳା:(ଗୁଲସନ୍ କୁମାର କର) ଗଂଜାମ ଜିଲ୍ଲା କୋଦଳା ଏନ୍.ଏ.ସିରେ ଥିବା ସାମାଜିକ ବିକାଶ ଓ ଗଣ ଚେତନା ଅନୁଷ୍ଠାନର ଗତକାଲି ରାତିରୁ ଜଣେ ମୁକବଧିର ପିଲା ଅମର ମଲ୍ଲିକ ନାମକ କେଉଁଆଡେ ଚାଲିଯାଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ ଏ ଅନୁଷ୍ଠାନରେ ମୁକ ବଧିର ପିଲାମାନଙ୍କୁ ତାଲିମ ଦିଆଯାଏ।ତାଲିମ ସମୟରେ ପିଲାମାନଙ୍କୁ ଶାରିରୀକ ନିର୍ଯ୍ୟାତନା ମଧ୍ୟ ଦିଆଯାଏ।ଏହି ଅନୁଷ୍ଠାନ ୩୦ ଜୁଲାଇ ୧୯୯୫ ରେ ସ୍ଥାପିତ ହୋଇଥିଲା। ଦୀର୍ଘ ୨୪ବର୍ଷ ହେଲା ଏହି ଅନୁଷ୍ଠାନରେ ବିଭିନ୍ନ ସମୟରେ ପିଲାମାନଙ୍କୁ ନିର୍ଯ୍ୟାତନା ଏବଂ କିଛି ପିଲା ମାରିଥିବା ଓ ଜଣଙ୍କର ଯୌନାଙ୍ଗକୁ କାଟିବା ଭଳି ଅଭିଯୋଗ ଆସି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି।ଏହି ଖବର ନେବାକୁ ସ୍ଥାନୀୟ ସାମ୍ବାଦିକମାନେ ସେହି ଅନୁଷ୍ଠାନରେ ପହଁଚିବା ପରେ ସେଠାକାର କର୍ତ୍ତୃପକ୍ଷ ସାମ୍ବାଦିକଙ୍କୁ ଦେଖି ଗେଟରେ ତାଲା ପକାଇଦେଇଥିଲେ ଓ ଭିତରକୁ ଯିବାକୁ ଦେଇନଥିଲେ। ଏନେଇ ସାମ୍ବାଦିକ ମାନେ କୋଦଳା ଥାନାକୁ ଯାଇ ସେଠାକାର ଭାରପ୍ରାପ୍ତ ଅଧକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ଏ ବିଷୟରେ ପଚାରିଥିଲେ। ଏତେବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ କାହିଁକି ସେହି ଅନୁଷ୍ଠାନର ଅଧ୍ୟକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣଇନଥିଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହେଇଚି। ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଏହି ଅନୁଷ୍ଠାନ କିପରି ଚାଲିଛି ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଦାବି ହୋଇଛି।