ଅଧ୍ୟକ୍ଷ ହେଲେ କିରନ୍ କୁମାରୀ ଦାସ : ଫେଲ୍ ମାରିଲା ବିଧାୟକଙ୍କ ଗୋଟି ଚାଳନା 

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଅଧ୍ୟକ୍ଷା ହେଲେ କିରନ୍ କୁମାରୀ ଦାସ । ଧମକ ଚମକ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଚାର ଜୁଲମକୁ ଖାତିର ନ କରି ଛତ୍ରପୁର ବିଧାୟକଙ୍କୁ ବିରୋଧ କରୁଥିବା ଅସନ୍ତୋଷ ବିଜେଡି ଗୋଷ୍ଠୀ ଶେଷରେ ବାଜି ମାରିନେଇଛି । ବିଧାୟକଙ୍କ ବିରୋଧି ଗୋଷ୍ଠୀର ୧୨ ଜଣ ସମିତିସଭ୍ୟ ନିଜ ଜିଦ୍‌ରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରି ଆସିଥିବା ବେଳେ ଶେଷରେ ନିଜ ଗୋଷ୍ଠୀର ତଥା ଅଗସ୍ତିନୂଆଗାଁ ସମିତିସଭ୍ୟା କିରନ୍ କୁମାରୀ ଦାସ ପିନ୍ଧିଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀର ବିଜୟ ମୁକୁଟ । ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ଧର୍ମର ଜୟ ହୋଇଛି ବୋଲି କହିବା ସହ ତାଙ୍କୁ ଏହି ନିର୍ବାଚନରେ ଯେଉଁ ମାନେ ସହଯୋଗ କରିଛନ୍ତି ସମସ୍ତଙ୍କୁ ଅଧ୍ୟକ୍ଷା ଶ୍ରୀମତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସେ ଓ ତାଙ୍କ ସମର୍ଥକ ମାନଙ୍କ ସହ ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ବିରୋଧୀ ଗୋଷ୍ଠୀର କିରନ୍ କୁମାରୀ ଦାସ ବ୍ଲକ ଅଧ୍ୟକ୍ଷା ଘୋଷଣା ପରେ ଶତାଧିକ ସମର୍ଥକମାନେ ଖୁସି ପ୍ରକଟ ହେବା ସହ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଗର୍ଜି ଉଠିଥିଲେ । ଏହା ସହ ବିଧାୟକଙ୍କ କୁଷ ପୁତ୍ତଳିକା ମଧ୍ୟ ଦାହ କରିଥିଲେ । ଗତ ମାର୍ଚ୍ଚ ୧୨ ତାରିଖରେ ଏହି ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ୍ ଆଳ ଦେଖାଇ ଏହାକୁ ବନ୍ଦ ହୋଇଥିଲା । ପୁଣି ଆଜି ମାର୍ଚ୍ଚ ୨ ତାରିଖ ସାନି ନିର୍ବାଚନ ରହିଥିବା ବେଳେ ଛତ୍ରପୁର ବିଧାୟକଙ୍କ ଇଙ୍ଗିତରେ ନିର୍ବାଚନକୁ ଏକତରଫା କରିବା ପାଇଁ ହୀନ ଚକ୍ରାନ୍ତ କରାଯାଇଛି ବୋଲି ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ୧୨ ଜଣ ସମିତିସଭ୍ୟ ସହ ସେମାନଙ୍କ ସମର୍ଥକମାନେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚିଲିକା ଅତିଥି ଗୃହରେ ଜୋରଜବରଦସ୍ତ ପଶି ୧୨ ଜଣ ସମିତିସଭ୍ୟଙ୍କ ମୋବାଇଲ୍ ଛଡାଇ ଆଣିବା ସହ ଗେଷ୍ଟ୍ ହାଉସ୍ ବାହାର ପଟୁ ପୁଲିସ ତାଲା ପକାଇ ଦିଆଯାଇଥିଲା । ଏହାସହ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ପୂର୍ବତନ ସମିତିସଭ୍ୟ ତଥା ଶ୍ରମିକନେତା ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଖଲ୍ଲିକୋଟ ଥାନାରେ ଅଟକ ରଖିଥିଲେ । ଆଜି ଦିନ ୧୨ଟା ୩୦ରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ରହିଥିବା ବେଳେ ୧୨ ଜଣ ସମିତିସଭ୍ୟଙ୍କୁ ଅଟକାଇ ବିଧାୟକଙ୍କ ସପକ୍ଷ ଗୋଷ୍ଠୀକୁ ଜିତାଇବା ପାଇଁ ପୁଲିସ ବଡ ଷଡଯନ୍ତ୍ର କରିଥିଲା । କିନ୍ତୁ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ପୋଲିସ୍ ବାଧ୍ୟ ହୋଇ ସେମାନଙ୍କୁ ଛାଡିଥିଲା । ପରେ ପୋଲିସ୍ ‘ୟୁ ଟର୍ଣ୍ଣ’ ହୋଇ ସୁରକ୍ଷା ଦେବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ପୋଲିସ୍ ଜାଣିଶୁଣି ସେମାନଙ୍କୁ ପୂର୍ବରୁ ଭୟଭୀତ କରୁଥିବା ବେଳେ ଆଜି ନିର୍ବାଚନ ରହିଥିବାରୁ ଆମ୍ଭକୁ ଭୋଟ୍ ବେଳେ ଅନୁପସ୍ଥିତ ରଖିବା ପାଇଁ ଯୋଜନା କରୁଥିଲେ । ଉକ୍ତ ୧୨ ଜଣ ସମିତିସଭ୍ୟ ଦୃଢତା ସହ ସବୁ ବାଧାବିଘ୍ନକୁ ସାମ୍ନା କରୁଥିବା ବେଳେ ବାଧ୍ୟ ହୋଇ ପୋଲିସ୍ ଉକ୍ତ ଗେଷ୍ଟ ହାଉସ୍ ଠାରୁ ପାଇଲଟିଂ କରି ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚାଇଥିଲେ । ଗତକାଲି ରାତିରେ ଗେଷ୍ଟ ହାଉସ୍ ଠାରୁ ଉଠାଇ ନେଇଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଏବଂ ଯୁବନେତା ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ଖଲ୍ଲିକୋଟ ପୋଲିସ୍ ଛାଡିଥିଲେ । ସେହିପରି ଛତ୍ରପୁର ସହରକୁ ପ୍ରବେଶ ପରେ ହିଁ ପୁଲିସ ନେଇଥିବା ସମସ୍ତ ସମିତିସଭ୍ୟଙ୍କ ମୋବାଇଲ୍ ଫୋନ୍ ଫେରାଇଥିଲା । ସେହିପରି ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ପୁଲିସ ପ୍ରଶାସନର ଏଭଳି ହୀନ ଚକ୍ରାନ୍ତକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ଲଢେଇ କରିବା, ପୋଲିସ୍ ଓ ପ୍ରଶାସନର ଜୁଲମ ଆସନ୍ତା ଦିନରେ ଏକ ଭୟଙ୍କର ରୂପ ନେବ ବୋଲି ଶ୍ରୀ ରେଡ୍ଡୀ ଚେତାବନୀ ଦେଇଥିଲେ । ସେହିପରି ପୂର୍ବାତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଯୁବନେତା ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡ୍‌ୀ, ଶ୍ରମିକ ନେତା ଶଙ୍କର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁ, ଅଶୋକ କୁମାର ପାଣିଗ୍ରାହୀ ଓ ସୁଶାନ୍ତ କୁମାର ସାହୁ, ପୂର୍ବତନ ବି.ଚନ୍ଦ୍ରମଣି ପାତ୍ରଙ୍କ ସମେତ ଶହ ଶହ ମହିଳା ଓ ପୁରୁଷ ହାତରେ ବିଜେଡି ପତାକା ଧରି ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଛତ୍ରପୁର ବିଧାୟକଙ୍କୁ କଡା ସମାଲୋଚନା କରିଥିଲେ । ଗତ ମାର୍ଚ୍ଚ ୧୨ ତାରିଖରେ ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତ ମଧ୍ୟରୁ ୬ ଜଣ ସମିତିସଭ୍ୟ କୋଭିଡ୍‌୍ ପଜିଟିଭ୍ ଦେଖାଇ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ନିର୍ବାଚନ ସ୍ଥଗିତ ହେବା ପୂର୍ବରୁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିଲା । ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ୧୨ ଜଣ ସମିତିସଭ୍ୟ ମଧ୍ୟରୁ ଅଗସ୍ତିନୂଆଗାଁ ସମିତିସଭ୍ୟ କିରନ୍ କୁମାରୀ ଦାସ ନାମାଙ୍କନ କରିଥିବା ବେଳେ ବିଧାୟକଙ୍କ ସପକ୍ଷ ଗୋଷ୍ଠୀର ୬ ଜଣ ସମିତିସଭ୍ୟ ମଧ୍ୟରୁ ସୁନ୍ଦରପୁର ସମିତିସଭ୍ୟ ସୁଜ୍ଞାନୀ ସେଠୀ ନାମାଙ୍କନ କରିଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ପ୍ରଶାସନର ଏହି ହାଇଡ୍ରାମା ପାଇଁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ୧୨ ଜଣ ସମିତିସଭ୍ୟଙ୍କ ସମେତ ଶତାଧିକ ସମର୍ଥକମାନେ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣା ଦେଇଥିଲେ । ପରେ ସ୍ଥଗିତ ଥିବା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ୍ ମାର୍ଚ୍ଚ ୨ ତାରିଖରେ ହେବ ବୋଲି ରାଜ୍ୟ ନିର୍ବାଚନ କମିସନର ଘୋଷଣା କରିଥିଲେ । କେବେଳ ଆଜି ୧୨ଟା୩୦ ମିନିଟ୍ ଠାରୁ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୨ଟାରେ ଭୋଟ ଗଣିତ ଏବଂ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶନାମା ରହିଥିଲା । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ଅଧ୍ୟକ୍ଷ ସାନି ନିର୍ବାଚନ ଥିଲା । ନିର୍ଧାରିତ ସମୟନୁସାରେ ପ୍ରଥମେ ବିରୋଧୀ ଗୋଷ୍ଠୀର ୧୨ ଜଣ ସମିିତିସଭ୍ୟ ପରେ ବିଧାୟକଙ୍କ ସପକ୍ଷ ଗୋଷ୍ଠୀର ୬ଜଣ ସମିତିସଭ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ଭୋଟ ଗ୍ରହଣ ହୋଇଥିଲା ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀ ୬ ଖଣ୍ଡ ଭୋଟ ପାଇଥିବା ବେଳେ ଅସନ୍ତୋଷ ଗୋଷ୍ଠୀର କିରନ୍ କୁମାରୀ ୧୨ ଖଣ୍ଡ ଭୋଟ୍ ପାଇ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଅତିରିକ୍ତ ତହସିଲଦାର ଜସ୍ମିନ୍ କୁମାର ପ୍ରଧାନ ସହ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ