ଅଧ ରାତ୍ରିରେ ବନବିଭାଗର ଚଢାଉ; ୫ ଡମ୍ପର ଓ ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ

ଯୋଡା,(ସମୀର କୁମାର ଦାସ): ରାଜ୍ୟ ସରକାରଙ୍କର ବିଭିନ୍ନ ଆଇନ, ସ୍କ୍ୱାର୍ଡ ଗଠନ ସତ୍ୱେ ମଧ୍ୟ ଥମୁନାହିଁ ଖଣିଜ ଚୋରା କାରବାର । ପ୍ରତିଦିନ ହଜାର ହଜାର ଟନ୍ ଚୋରା ଖଣିଜ କାରାବାର ହେତୁ ରାଜ୍ୟ ସରକାର ଅଜସ୍ର ଟଙ୍କା ରାଜସ୍ୱ ହରାଉଛନ୍ତି । ଗୁରୁବାର ବିଳମ୍ବିତ ରାତ୍ରିରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଅସେଇଁକଳା ଅଂଚଳରେ । ଗୁରୁବାର ବିଳମ୍ବିତ ରାତ୍ରି ପ୍ରାୟ ୧.୩୦ ମିନିଟ୍ ସମୟରେ କେନ୍ଦୁଝର ଡିଏଫ୍‌ଓ ସ୍ୱୟମ୍ ମଲ୍ଲିକଙ୍କ ନିର୍ଦେଶକ୍ରମେ ଯୋଡା, ବଡବିଲ, ବିଲେଇପଦା, ଚମ୍ପୁଆର ଫରେଷ୍ଟ ପାରା ସ୍କ୍ୱାର୍ଡ କେନ୍ଦୁଝର ଏସିଏଫ୍ ଅଜୟ କୁମାର ସାହୁ, ବଡବିଲ ରେଞ୍ଜ ଅଧିକାରୀ ସୁଜିତ କୁମାର ସାହୁ, ଚମ୍ପୁଆ ରେଞ୍ଜ ଅଧିକାରୀ ସଞ୍ଜିବ୍ କୁମାର ରାଉତଙ୍କ ନେତୃତ୍ୱରେ ଓଡିଶା, ଝାଡଖଣ୍ଡ ସୀମାନ୍ତ ଅଂଚଳରେ ଥିବା ଅସେଇଁକଳା ଠାରେ ଏକ ବଡ ଧରଣର ଚଢାଉ କରାଯାଇଥିଲା । ଏହି ଚଢାଉରେ ଯୋଡା ଖଣିମଣ୍ଡଳରୁ ଚୋରାଚାଲାଣ ହେଉଥିବା ୫ଟି ଲୁହାପଥର ବୋଝେଇ ଡମ୍ପରକୁ ଧରିବାରେ ବନବିଭାଗ ସକ୍ଷମ ହୋଇଥିଲା । ଡମ୍ପରର ଡ୍ରାଇଭର ଓ ହେଲପର ଅନ୍ଧକାରର ସୁଯୋଗ ନେଇ ଡମ୍ପରକୁ ଛାଡି ଫେରାର୍ ହୋଇଯାଇଥିଲେ । ଚୋରା ଲୁହାପଥରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଯୋଡା ବନପାଳ ଅନିରୁଦ୍ଧ ପଣ୍ଡା ଓ ବିଲେଇପଦା ବନପାଳ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ପଣ୍ଡା ସୂଚନାଦେଇ କହିଛନ୍ତି ଯେ, ଜବତ ହୋଇଥିବା ଡମ୍ପର ଗୁଡିକ ଯୋଡା ଅଂଚଳର ଏବଂ ଡମ୍ପର ଗୁଡିକରୁ ମାଲିକ ମାନଙ୍କର ସୂଚନା ମଧ୍ୟ ମିଳିସାରିଛି । ତେବେ ବନବିଭାଗ, ଆର୍‌ଟିଓ ସହିତ ଯୋଗାଯୋଗ କରି ଜବତ ଗାଡିର ସବିଶେଷ ତଥ୍ୟ ପାଇ ଚିଠି କରିବ । ବିଳମ୍ବିତ ରାତ୍ରିରେ ଏକାଧିକ ଟ୍ରକ ଜବତ ବେଳେ ଯୋଡା ପୋଲିସ ଘଟଣାସ୍ଥଳରେ ପହଁଚି ବନ ବିଭାଗକୁ ସହଯୋଗ କରିଥିଲା । ଚୋରି ରୋକିବା ପାଇଁ ଯୋଡାରେ ଥିବା ଖଣି ଯୁଗ୍ମ ନିର୍ଦେଶାଳୟର ନିଜସ୍ୱ ସ୍କ୍ୱାର୍ଡ, ରାଜ୍ୟ ଖଣି ବିଭାଗର ଷ୍ଟେଟ ଲେବଲ ଏନଫର୍ସମେନ୍‌ଟ ସ୍କ୍ୱାଡ ସହିତ ଉନ୍ନତ ଜ୍ଞାନ କୌଶଳରେ ଇନ୍‌ଟିଗ୍ରେଟେଡ ମାଇନିଂ ମିନେରାଲ ମ୍ୟାନେଜମେନ୍‌ଟ ସିଷ୍ଟମ (ଆଇଥ୍ରିଏମ୍‌ଏସ୍‌) ପ୍ରଣାଳି ରାଜ୍ୟ ସରକାର କରିଥିଲେ ହେଁ, ଚୋରି ରୋକିବାରେ ଖଣିବିଭାଗ ସମ୍ପୁର୍ଣ୍ଣ ଫେଲ ମାରୁଛି । ଏ ନେଇ ଯୋଡା ଖଣି ଯୁଗ୍ମ ନିର୍ଦେଶକ ସଲିଲ କୁମାର ବେହେରାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ବିଭିନ୍ନ ଜାଗାରେ ଖଣିବିଭାଗ ଚଢାଉ କରୁଛି । ବିଭିନ୍ନ ରେଳ ସାଇଡିଂ କୁ ପରିବହନ ହେଉଥିବା ଲୁହାପଥରର ଟ୍ରାନ୍‌ଜିଟ ପାସ୍ ରେ ଚନ୍‌କତା କରି ଲୁହାପଥର ଚୋରା କାରବାର କରାଯାଉଛି ବୋଲି ସେ ସ୍ୱୀକାର କରିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ଖଣିଜ ଚୋରା କାରବାର ପରିଲକ୍ଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ