ଅନନ୍ୟ ଅନୀଲ; ଚାକିରି ନ କରି ଗାଁ ପିଲାଙ୍କୁ ଦେଉଛନ୍ତି ଗୁଣାତ୍ମକ ଶିକ୍ଷା
ବାପା ଇଂରାଜୀର ଗୋଟିଏ ବି ଶବ୍ଦ ଠିକ୍ ଭାବେ ଉଚ୍ଚାରଣ କରିପାରନ୍ତିନି । କିନ୍ତୁ ପୁଅ କମ୍ପୁଟରର ବିଭିନ୍ନ ପାର୍ଟସ୍କୁ ନେଇ କଥା ହେଉଛି । ବାପା ଦିନ ମଜୁରିଆ । କିନ୍ତୁ ପୁଅ ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖୁଛି । ସେହିଭଳି ଦିନେ ସ୍କୁଲ୍ ଯାଉ ନଥିବା ପିଲାମାନେ ଏବେ ରୋବର୍ଟ ତିଆରି କରୁଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବୟାଳିଶ ମଉଜାର ବରାଳ ଗାଁରେ । ଆଉ ଏସବୁ ସମ୍ଭବ ହୋଇଛି ଏହି ଗାଁର ପୁଅ ଅନୀଲ ପ୍ରଧାନଙ୍କ ପାଇଁ ।\nନିଜ ଉଦ୍ୟମରେ ଅନୀଲ ଗାଁରେ ଏକ ସ୍କୁଲ୍ ତିଆରି କରିଛନ୍ତି । ଏଠାରେ ସେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ଶିକ୍ଷା ଦେଉଛନ୍ତି । ଇଲେକ୍ଟ୍ରୋନିକ୍, ମେକାନିକାଲ୍, ଥ୍ରୀଡି ପେଣ୍ଟିଂ ଆଦି ବିଷୟରେ ପିଲାମାନେ ଶିକ୍ଷାଲାଭ କରୁଛନ୍ତି । ବିଶେଷ କରି ବିଜ୍ଞାନ, ଟେକ୍ନୋଲୋଜି ଓ ନୂଆ ନୂଆ କୌଶଳ ବାହାର କରିବା ଦିଗରେ ଅନୀଲ ଗୁରୁତ୍ୱ ଦେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ସ୍କୁଲଟି ଦେୟମୁକ୍ତ । ଅର୍ଥାତ୍ ପିଲାମାନେ ମାଗଣାରେ ପଢୁଛନ୍ତି । ଅନୀଲ ଜଣେ ମେଧାବୀ ଛାତ୍ର । ନିମ୍ନ ମଧ୍ୟବିତ୍ତ ପରିବାରରେ ବଢ଼ିଥିବା ଅନୀଲ୍ ବୁର୍ଲା ବିଶ୍ୱବିଦ୍ୟାଳୟରେ ସିଭିଲ୍ ଇଂଜିନିୟରିଂ କରିଛନ୍ତି । ତେବେ ସେ ଏମିତି ପଦକ୍ଷେପ ନେବା ପଛରେ ଏକ ସୁନ୍ଦର ଉଦ୍ଦେଶ୍ୟ ଏବଂ ବୃହତ୍ ଲକ୍ଷ୍ୟ ରହିଛି । ତାଙ୍କର ପିଲା ଦିନ ଏହି ଗାଁରେ କଟିଛି । ଛୋଟ ବେଳେ ସେ ଗାଁରେ ଗୁଣାତ୍ମକ ଶିକ୍ଷା ପାଇ ପାରି ନଥିଲେ । ପରେ ସେ ପଢ଼ିବା ପାଇଁ ସହରକୁ ଚାଲି ଯାଇଥିଲେ ଓ ଉଚ୍ଚ ଶିକ୍ଷିତ ହୋଇପାରିଥିଲେ । କିନ୍ତୁ ଗାଁରେ ଗୁଣାତ୍ମକ ଶିକ୍ଷା ନ ପାଇବା କଥା ସେ ଭୁଲି ନଥିଲେ । ଗାଁର ସେହି ଅଭାବ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ପରେ ଭଲ ଭଲ କମ୍ପାନୀର ଚାକିରି ଅଫର୍କୁ ପ୍ରତ୍ୟାଖ୍ୟାନ କରି ଦେଇ ସେ ଚାଲି ଆସିଛନ୍ତି ଗାଁକୁ । ବଡ଼ ଚାକିରି, ମୋଟ ଦରମା ଓ ବିଳାସମୟ ଜୀବନ ବଦଳରେ ସେ ତାଙ୍କ ଗାଁର ଗରିବ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେଉଛନ୍ତି । ତାଙ୍କ ଜ୍ଞାନକୁ ସେ ପିଲାଙ୍କୁ ବାଣ୍ଟୁଛନ୍ତି ଓ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହକୁ ବଢ଼ାଉଛନ୍ତି । ବୁର୍ଲାରେ ଇଂଜିନିୟରିଂ ପଢୁଥିବାବେଳେ ସେ ଏ ସ୍କୁଲ୍ ଖୋଲିବାକୁ ପ୍ରୟାସ କରିଥିଲେ । ସେତେବେଳେ ସେ ପ୍ରଥମ ବର୍ଷର ଛାତ୍ର ଥିଲେ ଓ ତାଙ୍କ ପାଖରେ ଏତେ ଟଙ୍କା ନଥିଲା । ତେଣୁ ଚୁପ୍ ବସିଯାଇଥିଲେ । ଇଂଜିନିୟରିଂର ତୃତୀୟ ବର୍ଷରେ ସେ କିଛି ପ୍ରୋଜେକ୍ଟ କରିଥିଲେ । ସେହି ପ୍ରୋଜେକ୍ଟଗୁଡ଼ିକୁ କିଛି ଜାତୀୟସ୍ତରର କମ୍ପାନୀଗୁଡ଼ିକ ପୁରସ୍କୃତ କରିଥିଲେ । ପୁରସ୍କାର ସ୍ୱରୂପ ଯେଉଁ ଅର୍ଥ ରାଶି ସେ ପାଇଥିଲେ, ତାକୁ ବିନିଯୋଗ କରି ସେ ଏହି ସ୍କୁଲ୍ ଗଢ଼ିଥିଲେ । ୪ ବର୍ଷ ତଳେ ସେ ପ୍ରତିଷ୍ଠା କରିଥିବା ଏହି ସ୍କୁଲରେ ଏବେ ୧୪୦ରୁ ଅଧିକ ପିଲା ପଢୁଛନ୍ତି । ଆଉ ତାଙ୍କର ଉଦ୍ୟମକୁ ଗ୍ରାମବାସୀ ବହୁତ ପ୍ରଶଂସା କରିଛନ୍ତି ।


