ଅନବସର ସମୟ ରେ ପୂଜା ପାଉଛନ୍ତି ପଟ୍ଟିଦିଅଁ
ନିମାପଡା, (ସନ୍ତୋଷ ଦାଶ) :-୧୦୮ କଳସ ଶୁଦ୍ଧ ଜଳ ରେ ସ୍ନାନ ହେବା ପରେ ଜ୍ଵର ରେ ପୀଡ଼ିତ ହୋଇ ଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେମାନଙ୍କୁ ଅଣସର ଗୃହକୁ ନିଆଯାଇ ଗୁପ୍ତ ସେବା ଚାଲିଛି । ଶ୍ରୀ ମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ବଦଳରେ ପୂଜା ପାଉଛନ୍ତି ପଟ୍ଟିଦିଅଁ । ଆସନ୍ତୁ ଜାଣିବା ଅନବସର ସମୟରେ ପୂଜା ପାଉଥିବା ପଟ୍ଟିଦିଅଁ ଙ୍କ ବିଷୟରେ। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ବାଡ଼ରେ ପ୍ରତିନିଧି ସ୍ୱରୂପ ଶ୍ରୀ ନାରାୟଣ ପଟ୍ଟି ଦିଅଁ ରୂପେ ପୂଜା ପାଇଥାନ୍ତି। ତାଙ୍କର ଶରୀର କୃଷ୍ଣ ବର୍ଣ୍ଣ। ସେ ଚତୁଃର୍ଭୁଜ ଓ ପଦ୍ମାସନସ୍ଥ । ବହୁତଳ ଯୁକ୍ତ ଏକ କୁଞ୍ଜରେ ବିରାଜମାନ । ଶ୍ୱେତ କପୋତ ପକ୍ଷୀ ଦୁଇଟି କୁଞ୍ଜ ର ଉପରିଭାଗ ରେ ବିଦ୍ୟମାନ ଥିବାବେଳେ ତଳ ଭାଗ ରେ ମକର ଦ୍ଵୟ ଶୋଭା ପାଉଛନ୍ତି । ଏହି କୁଞ୍ଜ ର ଚୁଡ଼ା ପଦ୍ମ ପୁଷ୍ପା କୃତି ହୋଇଥିବା ବେଳେ ବେଦି ଗୁଡ଼ିକ ପ୍ରସ୍ପୁଟିତ ପଦ୍ମ ପୁଷ୍ପ ପରି ହୋଇଅଛି । ସ୍କନ୍ଦପ୍ରଦେଶ ର ବିକଶିତ ଚତୁଃର୍ଭୁଜ ବଳିଆ ର ତଥା ସୁଦୃଢ଼ ପରିଦୃଶ୍ୟ ହୁଏ । କୁଶଳ ଭାବେ ଚିତ୍ରିତ ନୟନ, ଭ୍ରୁଲତା ଏକ ଗାମ୍ଭିର୍ଯ୍ୟପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରେ । ନାସିକା, ପାଟି ଓ ଥୋଡ ଅତ୍ୟନ୍ତ ସ୍ପଷ୍ଟ ପରିଦୃଷ୍ଟ ହେଉଥିବା ବେଳେ ଶୁକ୍ଳ ବର୍ଣ୍ଣ ର ଦାଢ଼ି ଆଉ ନିଶ ବହ୍ନି ର ଶିଖା ପରି ଉତ୍ତୁଙ୍ଗ ପ୍ରତୀୟମାନ ହୁଏ । ଭାଲପଟ ରେ ଥିବା ଚିତା ମଧ୍ୟରେ ରକ୍ତ ବର୍ଣ୍ଣ ର ଏକ ବିନ୍ଦୁ ପରିଦୃଷ୍ଟ ହେଉଥିବାବେଳେ ଏହି ଚିତା ନାସିକା ର ମୂଳ ପର୍ଯ୍ୟନ୍ତ ଲମ୍ବି ଅଛି। ତାଙ୍କ କର୍ଣ୍ଣ ଦ୍ଵୟ ମକର କୁଣ୍ଡଳ ଓ କାନଗୁଣା ଦ୍ଵାରା ଶୋଭିତ। ଉନ୍ନତ ବପୁ ତଥା ବିବିଧ ଅଳଙ୍କାର, ମାଣିକ୍ୟ ମଣ୍ଡିତ ନାରାୟଣ ଙ୍କ ସ୍କନ୍ଦଠାରୁ କଟି ଦେଶ ପର୍ଯ୍ୟନ୍ତ ଯଜ୍ଞୋପବୀତ ଲମ୍ବି ଅଛି ଯାହାକି ତାଙ୍କର କଟି ରେ ଲାଗି ହୋଇଥିବା ଅଣ୍ଟାପଟ୍ଟି ରେ ମିଳିତ ହୋଇଅଛି । ଦିବ୍ୟ ପୀତବସନ ତ୍ରିକଛ ଶୈଳୀ ରେ ପରିଧାନ ପୂର୍ବକ ତାଙ୍କ ର ପଦଦ୍ଵୟ ତଥା ହସ୍ତଚତୁଷ୍ଟୟ ରେ ସୁବର୍ଣ୍ଣ ବଳାମାନ ଶୋଭା ପାଉଥିବା ବେଳେ ବପୁପ୍ରଦେଶ ଓ ବାହୁ ଗୁଡ଼ିକ ରେ ଚିତା ଅଙ୍କିତ ହୋଇଅଛି । ବପୁ ଦେଶରେ ଶ୍ରୀବତ୍ସ ଙ୍କ ର ରକ୍ତାଭ ପଦ ଚିହ୍ନ ଶୋଭାୟମାନ ହେଉଛି । ଗଳା ରେ କମଳ ପୁଷ୍ପ ର ବନମାଳ, ସବୁଜ ବର୍ଣ୍ଣ ର କେଶୋରାଜି ଉଡ୍ଡିୟମାନ ଅବସ୍ଥାରେ ରହିଅଛି । ମସ୍ତକୋପରିସ୍ଥ ବର୍ଣ୍ଣାଢ଼୍ୟ କିରୀଟି ଅତ୍ୟନ୍ତ ସୌନ୍ଦଯ୍ୟ ମୟ ପ୍ରତୀତ ହୋଇଥାଏ। ନାରାୟଣ ଙ୍କ ଉଭୟ ପାଶ୍ୱରେ ସପ୍ତଋଷି ପ୍ରଣତ ମୁଦ୍ରାରେ ଦଣ୍ଡାୟମାନ ରହିଛନ୍ତି । ଅଣସର ସମୟରେ ବଡ଼ଠାକୁର ବଳଭଦ୍ର ଙ୍କ ବାଡ଼ ରେ ଅନନ୍ତରୂପୀ ପଟ୍ଟି ଦିଅଁ ପୂଜା ପାଉଛନ୍ତି। ତାଙ୍କ ଶରୀର ଶ୍ୱେତ ବର୍ଣ୍ଣ ଓ ସେ ଚତୁର୍ଭୁଜ । ପଦ୍ମାସନ ଆସୀନ । ତାଙ୍କର ଏହି ଦୀପ୍ତିମାନ ସ୍ୱରୂପରେ ତାରୁଣ୍ୟ ରଛଟା ସ୍ପଷ୍ଟ ବାରିହୋଇ ପଡେ । ନୟନ ଦ୍ବୟ, ଭ୍ରୁଲତା, ଦାଢ଼ି, ନାସିକା ଏବଂ ଭାଲ ପଟରେ ଥିବା ତିଳକ ତଥା କେଶୋରାଜି ଓ ନିଶ ଦିବ୍ୟ ମୁଖ କମଳ କୁ ଏକ ଅପୂର୍ବ ଆଭା ପ୍ରଦାନ କରେ । ଶ୍ରୀଅଙ୍ଗ ରେ ଲମ୍ବିଥିବା ସୁବର୍ଣ୍ଣ ବର୍ଣ୍ଣ ର ବନମାଳା ଚମ୍ପକପୁଷ୍ପ କୁ ସୂଚାଇ ଥାଏ। ଶ୍ରୀ ଅନନ୍ତ ଉର୍ଦ୍ଧ୍ବ ହସ୍ତ ଦ୍ବୟ ରେ ଶଙ୍ଖ ଓ ଚକ୍ର ଧାରଣ କରି ଥିବାବେଳେ ନିମ୍ନ ହସ୍ତ ଦ୍ବୟ ରେ ମୁଷଳ ଓ ହଳ ଧାରଣ କରିଛନ୍ତି । ମସ୍ତକୋପରିସ୍ଥ କିରୀଟ ରେ ଶ୍ୱେତ ବର୍ଣ୍ଣ ର ସପ୍ତଫେଣି ନାଗ ଆବୃତ ରହିଅଛି । ଶ୍ରୀ ଅନନ୍ତ ଙ୍କ ଉଭୟ ପାଶ୍ୱର୍ରେ ଶଙ୍କର ଡମ୍ବରୁ ଏବଂ ତ୍ରିଶୂଳ ଧାରଣ କରିଥିବା ବେଳେ ପ୍ରଣତମୁଦ୍ରା ରେ ଦଣ୍ଡାୟମାନ ଅଛନ୍ତି। ତାଙ୍କ ମସ୍ତକ ଉପରେ ସର୍ପ ବିଦ୍ୟମାନ ଥିବା ବେଳେ ଅପରପାର୍ଶ୍ଵ ରେ ନାରଦ ମୁନି ସ୍କନ୍ଦ ରେ ବୀଣା ଧାରଣ ପୂର୍ବକ ପ୍ରଣତ ମୁଦ୍ରା ରେ ଦଣ୍ଡାୟମାନ ଅଛନ୍ତି । ଅନବସର କାଳରେ ମା ସୁଭଦ୍ରା ଙ୍କ ବାଡ଼ ରେ ପଟ୍ଟିଦିଅଁ ସ୍ୱରୂପ ଦେବୀ ଭୁବନେଶ୍ଵରୀ ପୂଜା ପାଉଛନ୍ତି । ପୀତ-ବର୍ଣା, ଚତୁର୍ଭୁଜା, ପଦ୍ମାସନସ୍ଥା ଦେବୀ ଭୁବନେଶ୍ଵରୀ ବହୁତଳଯୁକ୍ତ ଏକ କୁଞ୍ଜରେ ପଦ୍ମପୀଠ ଉପରେ ବିରାଜମାନା ଅଟନ୍ତି । କୁଞ୍ଜ ର ପୀଢ଼ ଉପରେ ପଦ୍ମକଳସ ଚିହ୍ନିତ ହୋଇ ଥିବାବେଳେ କୁଞ୍ଜ ର ଉପରିସ୍ଥ ଭାଗ ରେ ଶୁକ ଦ୍ଵୟ ଏବଂ କପୋତ ମାନ ତଥା ନିମ୍ନ ଭାଗରେ ମକର ମସ୍ତକ ପରିଦୃଷ୍ଟ ହୁଏ । ଦେବୀ ଙ୍କ ଚିତ୍ର କୁ ହରିତାଳ ଦ୍ଵାରା ରଙ୍ଗ କରା ଯାଇଥାଏ । ଦେବୀ ଶୁକ୍ଳବସ୍ତ୍ର ପରିହିତା ନୋଥ, ତରାଟ, ଝୁମା, ହଂସଗୁଣା, ଖଡ଼ୁ, ବାଜୁବନ୍ଧ ଏବଂ କରାଙ୍ଗୁଳି ମାନଙ୍କ ରେ ମୁଦ୍ରିକାଦି ଅଳଙ୍କାର ଆଦି ଦେବୀ ମଣ୍ଡନ କରିଥାନ୍ତି। ହସ୍ତ ଗୁଡ଼ିକର ପାପୁଲି ଅଳତା ଦ୍ଵାରା ରକ୍ତାଭ ହୋଇ ଥିବାବେଳେ କୃଷ୍ଣ କେଶୋରାଜି ଦେବୀ ଙ୍କ କିରୀଟ ର ଉଭୟ ପାଶ୍ୱ ଦେଇ ଉଡୁଥିବା ଅବସ୍ଥାରେ ଦୃଶ୍ୟ ମାନ ହୁଏ। ଉର୍ଦ୍ଧସ୍ଥ ହସ୍ତ ଦ୍ଵୟ ରେ ଦେବୀ ପଦ୍ମପୁଷ୍ପ ଧାରଣ କରିଥିବା ବେଳେ ନିମ୍ନ ହସ୍ତ ଦ୍ଵୟ ରେ ଅଭୟ ଓ ବରଦ ମୁଦ୍ରା ପ୍ରଦର୍ଶନ କରିଥାନ୍ତି । ଦେବୀ ଙ୍କ ଉଭୟ ପାଶ୍ୱର୍ରେ ସଖୀଦ୍ଵୟ ଜୟା ଓ ବିଜୟା ଚାମର ଏବଂ ଆଲଟ ସେବା କରୁଥିବାର ଦୃଶ୍ୟ ମାନ ହୋଇଥାଏ। ଅନବସର ସମୟରେ ଶ୍ରୀ ମନ୍ଦିର ରେ ପଟ୍ଟି ଦିଅଁ ପୂଜା ପରମ୍ପରା କାହିଁ କେତେ କାଳରୁ ପ୍ରଚଳିତ ହୋଇ ଅସୁଛି। ଏହି ସମୟ ରେ ପୁରୀ ଜିଲ୍ଲା ବ୍ରହ୍ମଗିରି ରେ ପୂଜା ପାଉଥିବା ପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।


