ଅନଲାଇନରେ ପାଠପଢା, ବାଧକ ସାଜୁଛି ନେଟୱାର୍କ ଚକ୍ରରେ ଘୁରୁଛି ବିଏସଏନଏଲ ଓ ଜିଓ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍‌ ୧୭ ଯାଏ ଛୁଟି ଘୋଷଣା କରିଛନ୍ତି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍‌ରେ ପାଠ ପଢାଇବା ନିମନ୍ତେ ସମସ୍ତ ଜିଲା ପ୍ରଶାସନ ତଥା ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଣପାହାଡ ଘେରା କନ୍ଧମାଳ ଜିଲାର ବାଲିଗୁଡା ଉପଖଣ୍ଡ ରେ ଏହାର ସୁଫଳ ମିଳୁ ନ ଥିବା ଦେଖିବାକୁ ମିଳିଛି l ଅନ୍‌ଲାଇନ ପାଠ ପଢ଼ାରେ ମୋବାଇଲ ନେଟୱର୍କ ବାଧକ ସାଜିଛି l ଗ୍ରାମାଞ୍ଚଳରେ ନେଟୱାର୍କ ନ ଥିବାରୁ ଛାତ୍ରୀଛାତ୍ରମାନେ ହ୍ବାଟ୍‌ସ ଆପ ଗ୍ରୁପରେ ଯୋଡି ହୋଇ ପାରୁନାହାନ୍ତି। ସହରାଞ୍ଚଳର ପିଲା ଯାହା ଏଥିରୁ ସୁଫଳ ପାଉଛନ୍ତି। ଜିଲାରେ ଅନ୍‌ଲାଇନ ଏହି ପାଠ୍ୟକ୍ରମ ତଥା ହ୍ବାଟ୍‌ସଆପ୍‌ ଗ୍ରୁପରେ ଦଶମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା ଯୋଡି ହୋଇଛନ୍ତି। ଏଥିରୁ ପିଲାମାନେ କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ବାରି ହୋଇପଡୁଛି l କନ୍ଧମାଳର ୫୦ ପ୍ରତିଶତ ଅଞ୍ଚଳରେ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ। ଅର୍ଥାତ ନେଟୱର୍କ ନାହିଁ ଜିଲାର ସମସ୍ତ ୧୨ ବ୍ଲକରେ ଏହି ଅବସ୍ଥା। ଆଉ ଯେଉଁ କେତେକ ସ୍ଥାନରେ ନେଟୱର୍କ ଥାଇ ବି ତାହା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ l ଥାଇ ନ ଥିଲା ଭଳି, ଅନ୍ୟପକ୍ଷରେ ଗରିବ ଶ୍ରେଣୀର ଲୋକେ ସେମାନଙ୍କ ପିଲାଙ୍କୁ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ ଦେବାରେ ଅସମର୍ଥ l ତେଣୁ ବିଦ୍ୟାଳୟରେ ଗଠନ ହେଉଥିବା ହ୍ବାଟ୍‌ସଆପ ଗ୍ରୁପରେ ପିଲାମାନେ ସାମିଲ ହୋଇପାରୁ ନାହାନ୍ତି। ଅପର ପକ୍ଷରେ ସରକାର ଡିଜିଟାଲ ଲର୍ନିଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ନବମ ଓ ଦଶମ ଶ୍ରେମୀ ପାଇଁ ଲାଇଭ୍‌ କ୍ଲାସ କରାଯିବ l ଛାତ୍ରୀଛାତ୍ରଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିକ୍ଷକ ପାଠ ପଢାଇବେ l ଏଥିପାଇଁ ପାଇଲଟ୍‌ ସ୍କୁଲ ଭାବେ ଜିଲାର ୧୦ଟି ସ୍କୁଲକୁ ନିଆଯାଇଛି l ବର୍ତ୍ତମାନ ପାଇଲଟ୍‌ ୧୦ଟି ସ୍କୁଲର ଆଇଡି ପ୍ରସ୍ତୁତ ହୋଇ ଜିଲାସ୍ତରରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଛି l ଏଥିରେ ଜିଲ୍ଲା ତଥା ବ୍ଲକ ଅଞ୍ଚଳର ବିଇଓମାନେ ତାଲିମ ନେଇ ସାରିଛନ୍ତି। ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ପରେ ଏହି ଡିଜିଟାଲ କ୍ଲାସ ଆରମ୍ଭ ହେବ l ତେବେ ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। କାରଣ ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଖରେ ଲାପଟପ୍‌ କିମ୍ବା କମ୍ପ୍ୟୁଟର ଥିବା ନିହାତି ଆବଶ୍ୟକ l ଯାହା ଏକପ୍ରକାର ଅସମ୍ଭବ। ଜିଲାରେ ଅନଲାଇନ ପାଠପଢା ପାଇଁ ରହିଥିବା ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଯାଇ ସାରିଛି ବୋଲି ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ