ଅନଲାଇନରେ ଭତ୍ତା ଆବେଦନ
ଭୁବନେଶ୍ୱର: ଭତ୍ତା ପାଇବାକୁ ଆବେଦନ କରିବାକୁ ଯିବାକୁ ପଡ଼ିବନି ପଞ୍ଚାୟତ ଅଫିସ । ଅନଲାଇନରେ ବାର୍ଦ୍ଧକ୍ୟ, ବିଧବା ଓ ତୃତୀୟ ଲିଙ୍ଗ ଭତ୍ତା ପାଇଁ କରିହେବ ଆବେଦନ । କରୋନା କଟ୍ଣା ସମୟରେ ଘରୁ ନ ବାହାରି ସମସ୍ତେ ସୁରକ୍ଷିତ ଭାବେ ରହି ଆବେଦନ କରିବାକୁ ଏମିତି ବ୍ୟବସ୍ଥା କରିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନ ପାଇଁ ଆବେଦନକାରୀମାନେ ଅନଲାଇନରେ ଆବେଦନ କରିପାରିବେ । ବିଭାଗୀୟ ସଚିବ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନକାରୀ ଆବେଦନ କରିପାରିବେ । ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ୨୮ ଲକ୍ଷ ଏବଂ ଜାତୀୟ ସାମାଜିକ ପେନସନ ଯୋଜନାରେ ୨୦ ଲକ୍ଷ ହିତାଧିକାରୀ ଅଛନ୍ତି । କରୋନା ସମୟରେ ଯୋଗ୍ୟ ହିତାଧିକାରୀ ଆବେଦନ କରି ଭତ୍ତା ପାଇବାକୁ ସରକାରଙ୍କ ପକ୍ଷରୁ ଏ ଅନଲାଇନ ବ୍ୟବସ୍ଥା କରାଯାଇଛି ।


