ଅନଲାଇନ ବ୍ୟବସ୍ଥା ଯୋଗୁ ଭତ୍ତା ମିଳିବାରେ ବିଳମ୍ବ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସରକାରଙ୍କ ଅନଲାଇନ ବ୍ୟବସ୍ଥା ଯୋଗୁ ଅନେକ ଭିନ୍ନକ୍ଷମ ହିତାଧିକାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ସିମିଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ପୁଅ କାର୍ତ୍ତିକ ଦୀର୍ଘ ୨୩ମାସ ହେବ ଭତ୍ତା ପାଇପାରୁନଥିଲେ । ପୂର୍ଣ୍ଣଚନ୍ଦ୍ର ଆଂଶିକ ଚକ୍ଷୁବାଧିତ ବ୍ୟକ୍ତି ହୋଇଥିବାବେଳେ ୨୦ବର୍ଷର ପୁଅ କାର୍ତ୍ତିକ ମାନସିକ ଅନଗ୍ରସର ଅଟନ୍ତି । ସାନପୁଅ ମଧ୍ୟ ମାନସିକ ଅନଗ୍ରସର ଥିବା ଜଣାପଡିଛି । ବାପା ଓ ସାନପୁଅ ଅନଲାଇନ ପ୍ରମାଣପତ୍ର ପାଇଁ ଆବେଦନ କରିଥିବାବେଳେ କାର୍ତ୍ତିକ କିନ୍ତୁ ଅଫଲାଇନରେ ଅନେକ ଦିନ ହେବ ଭତ୍ତା ପାଇ ଆସୁଥିଲେ । କିନ୍ତୁ ଅନଲାଇନ ବ୍ୟବସ୍ଥା ଆସିବା ପରେ ପରିବାର ପକ୍ଷେ ଏସବୁ କାଗଜପତ୍ର ଯୋଗାଡ କରିବା ସମ୍ଭବ ହେଲାନାହିଁ । ତେଣୁ କାର୍ତ୍ତିକଙ୍କୁ ୨୦୧୯ ମସିହାର ୧୨ମାସ ଯାକ ଭତ୍ତାରୁ ବଞ୍ଚିତ କରାଯାଇଥିଲା । ଏହାପରେ ଗାଁର ସ୍ୱେଚ୍ଛାସେବୀ ଯୁବକ ଅରୁଣ ରାଉତଙ୍କ ଜରିଆରେ କାର୍ତ୍ତିକ ଅନଲାଇନ ଆବେଦନ କରି ପ୍ରମାଣପତ୍ର ପାଇପାରିଥିଲେ । ଏହା ସତ୍ତ୍ୱେ ପ୍ରଶାସନିକ ଉଦାସୀନତା ଯୋଗୁ କାର୍ତ୍ତିକଙ୍କୁ ୨୦୨୦ମସିହା ଠାରୁ ଏଯାଏଁ ଭତ୍ତା ଦିଆଯାଇନଥିଲା । ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରଚାର ପରେ ବିଡିଓ ବିଜୟ କୁମାର ସାହୁ ଘଟଣାକୁ ଗୁରୁତର ସହ ନେଇଥିଲେ । କାର୍ତ୍ତିକର ଅନଲାଇନ ପ୍ରମାଣପତ୍ର ଦେଖି ବିଡିଓ ଶ୍ରୀ ସାହୁ ୨୩ମାସର ମୋଟ ୧୨୮୦୦ଟଙ୍କା ପ୍ରଦାନ କରିଛନ୍ତି । ବିଭାଗୀୟ ଅଧିକାରୀ ସୁଧାଂଶୁ ପାଢୀଙ୍କ ଜରିଆରେ ସିମିଳିଆ ଠାରେ କାର୍ତ୍ତିକଙ୍କ ଘରେ ତାଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ସେ ଯାହାବି ହେଉ ଅନଲାଇନ ବ୍ୟବସ୍ଥା ଯଦିଓ କେତେକ କାର୍ଯ୍ୟକୁ ସହଜ କରୁଛି କିନ୍ତୁ ଅନେକ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ପାଇବା ବିଳମ୍ବ ଘଟୁଛି ।