ଅନଶନ ଭାଙ୍ଗିଲେ ଚାଷୀନେତା ଅକ୍ଷୟ କୁମାରକୃଷିମନ୍ତ୍ରୀ ଅରୁଣଙ୍କ ଘରେ ଧସେଇ ପଶିଲେ ଚାଷୀ
ଭୁବନେଶ୍ୱର, : ଗତ ଡ଼ିସେମ୍ବର ୨୬ ତାରିଖରୁ ନବନିର୍ମାଣ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆରମ୍ଭ କରିଥିବା ଅନଶନ ଆଜି ୧୫ ଦିନରେ ଆଇନ୍ ଅମାନ୍ୟ ଆନ୍ଦୋଳନରେ ସମାପ୍ତ ହୋଇଛି । ୮ ତାରିଖ ସନ୍ଧ୍ୟାସୁଦ୍ଧା ସରକାର କୌଣସି ଆଲୋଚନା ନ କଲେ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଅକ୍ଷୟ କୁମାର ଯେଉଁ ଘୋଷଣା କରିଥିଲେ ସେହି ଘୋଷଣା ଅନୁଯାୟୀ ଅନଶନ ଭଙ୍ଗ କରିଛନ୍ତି । କାଳେ ନବନିର୍ମାଣ କର୍ମୀମାନେ ନବୀନ ନିବାସକୁ ଧସେଇ ପଶିବେ ବୋଲି ଆକଳନ କରି ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା କରାଯାଇଥିବା ବେଳେ ଆନ୍ଦୋଳନକାରୀମାନେ ଚକମା ଦେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନରେ ଧସେଇ ପଶିଥିଲେ । କାଳିଆ ଯୋଜନା କାହିଁକି ବନ୍ଦ ହେଲା ବୋଲି କୃଷିମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ବାସଭବନରେ ଧଶେଇ ପଶିବା ପରେ ପୋଲିସ୍ ସେମାନଙ୍କୁ ଗିରଫ କରି କ୍ୟାପିଟାଲ ଥାନାରେ ରଖିବା ପରେ ସନ୍ଧ୍ୟା ପୂର୍ବରୁ ଛାଡ଼ି ଦେଇଥିଲେ । ସେହିଭଳି ବୀରବନ୍ଧସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅକ୍ଷୟ କୁମାର ଓ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ନବୀନ ନିବାସ ଆଡ଼କୁ ବିଶାଳ ଶୋଭାଯାତ୍ରାରେ ଚାଷୀମାନେ ବାହାରିଥିଲେ । ବିଭିନ୍ନ ଆକର୍ଷଣୀୟ ସ୍ଲୋଗାନ ସହ ଆନ୍ଦୋଳନାତ୍ମକ ସଙ୍ଗୀତ ଗାଇ କୃଷକ ସଂଗଠନ କର୍ମକର୍ତ୍ତାମାନେ ଯେତେବେଳେ ନବୀନ ନିବାସ ଆଡ଼କୁ ଯାଉଥିଲେ ସହରର ଅଧିକାଂଶ ଲୋକ ଏହି ରାଲିର ଆକର୍ଷଣକୁ ଉପଭୋଗ କରୁଥିଲେ । ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ମଧୁମିତା ସାମଲଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ଗୋବିନ୍ଦ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ଚାଷୀ ସଂଗଠିତ ହେଲେ ସରକାରଙ୍କ ଉପରେ ପ୍ରଭାବ ପଡ଼ିବ ବୋଲି କହିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ନବୀନ ପଟ୍ଟନାୟକ ଯେଭଳି ଭାବରେ ଚାଷୀମାନଙ୍କୁ ଅପମାନିତ କରି କାଳିଆ ଯୋଜନାରେ ୬ହଜାର ଟଙ୍କା ଲେଖାଏଁ ହ୍ରାସ କଲେ ଏହା ବିରୁଦ୍ଧରେ ଗାଁଗଣ୍ଡାରେ ବ୍ୟାପକ ପ୍ରଚାର ପାଇଁ ଆହ୍ୱନ କରିଥିଲେ । ପରେ ନବୀନ ନିବାସ ଆଡ଼କୁ ଯାତ୍ରା ସମୟରେ ଏୟାରଫିଲ୍ଡ଼ ଥାନା ସମ୍ମୁଖରେ ଚାଷୀ ଓ ପୋଲିସ୍ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଚାଷୀନେତା ସ୍ନେହାଂଶୁ ଜେନା, ଦୁର୍ଗା ବାରିକ, ପ୍ରସନ୍ନ କୁଅଁର, ସୁରେଶ ଚନ୍ଦ୍ର ମାନସିଂହ, ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ୱରେ ଆସିଥିବା ଆନ୍ଦୋଳନକାରୀଙ୍କୁ ପୋଲିସ୍ ଗିରଫ କରି ପରେ ଛାଡ଼ି ଦେଇଥିଲା । ଅରୁଣ ସାହୁଙ୍କ ବାସଭବନରେ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନବନିର୍ମାଣ ଯୁବଛାତ୍ର ସଂଗଠକ ମନୱାର ଅଲ୍ଲୀ, ଦୁର୍ଗାପ୍ରସାଦ ଦାସ, ମମତା ନାଥ, ବିଳାସିନୀ ମହନ୍ତ, ଅଶ୍ୱିନୀ ଜେନା, ରଣଜିତ ପଟ୍ଟନାୟକ ଓ ଭରତ ସ୍ୱାଇଁ ପ୍ରମୁଖ ସାମିଲ୍ ଥିଲେ । ଆଗାମୀ ମେ ମାସରେ ସଂଗଠନ ତରଫରୁ ଯେଉଁ ମହାସଂଗ୍ରାମ ଆରମ୍ଭ ହେବ, ସେଥିପାଇଁ ସାଙ୍କେତିକ ଯୁଦ୍ଧ ଏବେଠୁ ଆରମ୍ଭ ହୋଇଛି ବୋଲି ଆଜି ଶ୍ରୀ କୁମାର ଘୋଷଣା କରିଛନ୍ତି । ସଂଗଠନର ବରିଷ୍ଠ ନେତା କାଶିନାଥ ମଲ୍ଲିକ ଶ୍ରୀ କୁମାରଙ୍କୁ ଫଳରସ ପଆଇ ଅନଶନ ଭଙ୍ଗ କରିଥିଲେ ।