ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କଲେ ଉତ୍ତର କେନ୍ଦ୍ରାଂଚଳ ଡିଆଇଜି

ପୋଷ୍ୟ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆସିଲେ ସାର୍ଥକ

ଛତ୍ରପୁର (ଦେବଦତ୍ତ ମହାରଣା) : ଓଡ଼ିଶାର ଦ୍ୱିତୀୟ ପୁରାତନ ହାଇସ୍କୁଲ ତଥା ଛତ୍ରପୁର ର ଅନ୍‌ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଗ୍ରହଣ କରିଥିବା ୧୯୯୨ ବ୍ୟାଚ୍ ର ୧୦ମ ଶ୍ରେଣୀ ଛାତ୍ର ତଥା ଉତ୍ତର କେନ୍ଦ୍ରାଂଚଳ ରେଞ୍ଜ୍ ର (ତାଳଚେର) ଅନୁଗୁଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ସୋମବାର ପରିଦର୍ଶନ କରି ସ୍କୁଲର ଭିତ୍ତିଭୂମି ତଦାରଖ କରିବା ସହ ସ୍କୁଲରେ ଚାଲିଥିବା ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ିବା ନିମନ୍ତେ ପରାମର୍ଶ ଦେଇଥିଲେ । ଡ. ଷଡ଼ଙ୍ଗୀ ପୋଷ୍ୟ ଗ୍ରହଣ କରିବା ପରେ ଆଜି ପ୍ରଥମ ଭାବେ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରି ପୁରାତନ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବୈଠକ କରି ସ୍କୁଲର କିପରି ବକାଶ ଦିଗରେ ଆଲୋଚନା କରିଥିଲେ । ଏଠାରେ ପାଠ ପଢ଼ୁଥିଲି ପୁଣି ସ୍କୁଲ ନିମନ୍ତେ କିଛି କରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା ନିଜ ବକ୍ତବ୍ୟରେ ସେ କହିଥିଲେ । ସ୍କୁଲରେ ଚାଲିଥିବା ସ୍ମାର୍ଟ କ୍ଲାସ୍‌, ଶୌଚାଳୟ, ବୈଠକ କକ୍ଷ, ସାଜସଜ୍ଜା ଓ ପାରିପାର୍ଶିର ଉନ୍ନତି ଦେଖି ଖୁସି ଜାହିର କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ଷ୍ଟାଫ୍‌, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲର ଶିକ୍ଷା ଓ ଭିତ୍ତିଭୂମିର କିପରି ଆହୁରି ବିକାଶ ହେବ ସେଥି ନିମନ୍ତେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଶିକ୍ଷା ବଭାଗର ଉଚ୍ଚପଦାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ସେକହିଥିଲେ । ଏହି ଅବସରରେ ଡିଆଇଜି ତଥା ପୁରାତନ ଛାତ୍ର ହିସାବରେ ଡ ସାର୍ଥକ ଷଡ଼ଙ୍ଗୀଙ୍କୁ ସ୍କୁଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । । ସ୍କୁଲର ଅନ୍ୟ ଜଣେ ପୁରାତନ ଛାତ୍ର ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ ସ୍କୁଲର ବିକାଶ ନିମନ୍ତେ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ପରିଦର୍ଶନ ବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ପ୍ରଧାନ ଶିକ୍ଷୟିତ୍ରୀ କାତ୍ୟାୟାନି ନନ୍ଦୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲିପ କୁମାର ସାମଲ, ବିଦ୍ୟାଳୟରମୋ ସ୍କୁଲ ଅଭିଯାନର ସଂଯୋଜିକା ତଥା ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତି, ଶିକ୍ଷକ ଜଗଦୀଶ ପଲାଇ ଓ ବାଉରୀବନ୍ଧୁ ପଣ୍ଡା, ପୁରାତନ ଛାତ୍ର ତଥା ଅଧ୍ୟାପକ ଅମର ପ୍ରସାଦ ବିଷୋୟୀ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସଙ୍କ ସମେତ ବହୁ ପୁରାତନ ଛାତ୍ରମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ