ଅନୁଗୁଳରେ ହେବ ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘର ବାର୍ଷିକ ଅଧିବେଶନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟର ଆଇନ୍ଜୀବୀମାନଙ୍କର ସର୍ବ ବୃହତ୍ ଓ ସର୍ବ ପୁରାତନ ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘର ୪୮ତମ ବାର୍ଷିକ ଅଧିବେଶନ ଅନୁଗୁଳ ବାର୍ ଆସୋସିଏସନର ସହଯୋଗରେ ଆସନ୍ତା ଡ଼ିସେମ୍ବର ୨୯ ଓ ୩୦ ତାରିଖରେ ଅନୁଗୁଳ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ହେବ । ଏହି ଦୁଇଦିନିଆ ଅଧିବେଶନରେ ରାଜ୍ୟର ୧୬୯ଟି ବାର୍ ଆସୋସିଏନର ତିନିହଜାର ପ୍ରତିନିଧି ଯୋଗଦେବେ । ବିଭିନ୍ନ ଅଧିବେଶନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିଗଣଙ୍କ ସମେତ ରାଜ୍ୟ ଆଇନ୍ମନ୍ତ୍ରୀ ଓ ଆଇନ୍ ବିଶାରଦ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘର ରାଜ୍ୟ ସଭାପତି ଜ୍ଞାନରଞ୍ଜନ ମହାନ୍ତି ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ତ୍ରିପାଠୀ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଅନୁଗୁଳ ବାର୍ ଆସୋସିଏସନର ସଭାପତି ଜିତେନ୍ଦ୍ର କୁମାର ସାହୁ, ସାଧାରଣ ସମ୍ପାଦକ ହିମାଂଶୁ ଭୂଷର ସାମଲ, ରାଜ୍ୟର ଆଇନ୍ଜୀବୀମାନଙ୍କର ସ୍ୱାର୍ଥର ସୁରକ୍ଷା ଲାଗି ଏହି ଦୁଇଦିନିଆ ଅଧିବେଶନରେ ବିଭିନ୍ନ ଆଲୋଚନାଚକ୍ରର ଆୟୋଜନ କରାଯିବ । ଏଥିସହ ସରକାରଙ୍କ ଦ୍ୱାରା ପଞ୍ଜିକୃତ ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘ ରାଜ୍ୟର ବହୁ ବରିଷ୍ଠ ଆଇନ୍ଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଆଡ଼ଭୋକେଟ ଆକାଡ଼େମୀକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ ରାଜ୍ୟର ଆଇନ୍ କମିଶନର କାର୍ଯ୍ୟକାରିତା ପ୍ରସଙ୍ଗରେ ସଂଘର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ମିଳିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ୍ଜୀବୀ ପରିଷଦର ସଭ୍ୟ ସୀତାଂଶୁ ମୋହନ ଦ୍ୱିବେଦୀ, ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ବୀରେନ୍ଦ୍ର ପଟ୍ଟନାୟକ, ସଂଘର କାର୍ଯ୍ୟକାରୀ ସମ୍ପାଦକ ମିତ୍ରଭାନୁ ମହାପାତ୍ର, ଅନୁଗୁଳ ଓକିଲ ସଂଘର ସଭ୍ୟ ମହେନ୍ଦ୍ର କୁମାର ବସ୍ତିଆ, ଭୁପେଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ ଦେବତା, ଧୃବଚରଣ ସାହୁ, ରାଜକିଶୋର ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ ।