ଅନୁମତି ପାଇଁ ଅଟକିବନି ପୁରୁଣା ଖଣି ଉତ୍ତୋଳନ
ଭୁବନେଶ୍ୱର: ମାର୍ଚ୍ଚ ୩୧ରେ ଲିଜ୍ ଅବଧି ସରିବାକୁ ଥିବା ପୁରୁଣା ଖଣିରୁ ବନ୍ଦ ହେବନି ଖନନ । ଲିଜ୍ ହାତେଇବା ପରେ ନୂଆ ଲିଜଧାରୀ ୨ ବର୍ଷ ଯାଏଁ ବିନା ବାଧାରେ ପୁରୁଣା ଖଣିରୁ ଉତ୍ତୋଳନ କରିପାରିବେ । ଏକ ଅଧ୍ୟାଦେଶ ଜରିଆରେ ଏଭଳି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରି ୧୦ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଯୋଗୁଁ ମାର୍ଚ୍ଚ ୩୧ ପରେ କାଗଜପତ୍ର ଆଳରେ କୌଣସି କାର୍ଯ୍ୟକ୍ଷମ ଖଣି ବନ୍ଦ ହେବ ନାହିଁ । ଏଥିସହ ଧାତବ କ୍ଷେତ୍ରରେ କଞ୍ଚାମାଲ ଅଭାବ ଦେଖାଦେବା ନେଇ ଲାଗି ରହିଥିବା ଆଶଙ୍କାର ଅନ୍ତ ଘଟିଛି । ଅଧ୍ୟାଦେଶ ମୁତାବକ, ଲିଜ୍ ଅବଧି ସରିବାକୁ ଥିବା ପୁରୁଣା ଖଣିର ଇ-ନିଲାମରେ ଚୟନ ହେବାକୁ ଥିବା ନୂଆ ଲିଜଧାରୀ ତତ୍କାଳ ୨ ବର୍ଷ ନିମନ୍ତେ ପୁରୁଣା ଲିଜଧାରୀଙ୍କ ସମସ୍ତ ଅଧିକାର, ଅନୁମୋଦନ, ମଞ୍ଜୁରି, ଲାଇସେନ୍ସ ପାଇବାକୁ ଯୋଗ୍ୟ ହେବେ । ଏଥିସହ ଏହି ଅବଧିରେ ଯେଉଁ ଖଣି ଲିଜ ପାଇଥିବେ ତାହାର ଆବଶ୍ୟକୀୟ ସମସ୍ତ ଅଧିକାର ଅନୁମୋଦନ, ମଞ୍ଜୁରି, ଲାଇସେନ୍ସ ପାଇଁ ଆବେଦନ କରିବେ । ଫଳରେ ସେମାନଙ୍କୁ ୨ ବର୍ଷ ମଧ୍ୟରେ ଖଣିଜ ବ୍ଲକ ଲିଜ୍ ପାଇଁ ମଞ୍ଜୁରି ଓ ଅଧିକାର ପ୍ରଦାନ କରାଯାଇପାରିବ । ସରକାରଙ୍କ ଏହି ଅଧ୍ୟାଦେଶ ଦ୍ୱାରା ଚଳିତ ବର୍ଷ ମାର୍ଚ୍ଚରେ ଅବଧି ସରିବାକୁ ଥିବା ଓଡ଼ିଶାର ୨୪ ଖଣିଜ ବ୍ଲକର ଲିଜଧାରୀ ଫାଇଦାରେ ରହିବେ । ଅର୍ଥାତ ସେମାନେ ନୂଆ ଲିଜ୍ ପାଇବା ପରେ ପରେ ହିଁ ଖଣିରୁ ତତ୍କାଳ ଉତ୍ତୋଳନ ଆରମ୍ଭ କରିପାରିବେ ।


