ଅନୁମୋଦନ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ଟାୱାର ସ୍ଥାପନ ନେଇ ଅସନ୍ତୋଷ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳଭାବେ ପରିଚିତ. ଆଜି ବି ଅଧିକାଂଶ ଅଞ୍ଚଳକୁ ମୋବାଇଲ ନେଟୱାର୍କ ସେବା ଅପହଞ୍ଚ. ହେଲେ ବିଏସଏନଏଲ ଅଧିକାରୀଙ୍କ ଇଚ୍ଛା ମୁତାବକ କାର୍ଯ୍ୟ ଯୋଗୁଁ ଅନୁମୋଦନ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ଟାୱାର ସ୍ଥାପନ ହୋଇଛି. ଏପରିସ୍ଥଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ଆଶ୍ଚର୍ଯ୍ୟଜନକ ଘଟଣାମାନ ଦେଖୁବାକୁ ମିଳୁଛି. ଏବେ ଗୁମ୍ମା ବ୍ଲକ ମୁନିସିଂ ପଞ୍ଚାୟତ ଅନ୍ତର୍ଗତ ସୁକେଇ ବାରାଙ୍ଗସିଂ ଗ୍ରାମରେ ଏକ ଏଭଳି ଘଟଣା ଘଟିଛି. ଏହି ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଯୋଗାଇବା ନିମନ୍ତେ ପଞ୍ଚାୟତବାସୀ ୨୦୨୩ ମସିହାରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ଉକ୍ତ ଅଭିଯୋଗ ପ୍ରକାରେ ମୁନିସଂ ପଞ୍ଚାୟତର ଏସ୍.ବାରାଙ୍ଗସିଂ ଗ୍ରାମରେ ବିଏସ୍ଏନଏଲ୍ର ୪-ଜି ନେଟୱାର୍କ ଟାୱାର ସ୍ଥାପନ ନିମନ୍ତେ ଅନୁମୋଦନ ଲାଭ କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ମୋବାଇଲ ଟାୱାର ମୁନିସିଂ ପଞ୍ଚାୟତର ସୁକେଇ ବାରାଙ୍ଗସିଂ ଗ୍ରାମ ପରିବର୍ତ୍ତେ ତରଙ୍ଗଡା ପଞ୍ଚାୟତର ଟି. ତାମ୍ବୁସିଂରେ ସ୍ଥାପନ କରାଯାଇଛି। ଏ ବିଷୟରେ ମୁନିସିଂ ସମିତି ସଭ୍ୟ ଆମ୍ବିଏଲ ଗମାଙ୍ଗ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ଗୁମ୍ମା ବ୍ଲକରେ ସୁକେଇ ବାରାଙ୍ଗସିଂ ଗ୍ରାମ ନ ଥିବା କହିଥିଲେ। ଏହାପରେ ସେ ତାମ୍ବୁସିଂ ଗ୍ରାମରେ ମୋବାଇଲ ଟାୱାର କେମିତି ସ୍ଥାପନ କରାଯାଇଛି ବୋଲି ପ୍ରଶ୍ନ କରିବାରୁ ଏସଡିଓ ସନ୍ତୋଷଜନକ ଉତ୍ତର ଦେଇ ନ ଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପାଦନ ହୋଇପାରୁନାହିଁ. ଗଜପତି ପ୍ରଶାସନ ଓ ବିଏସଏନଲ ପଦସ୍ତ ଅଧିକାରୀ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.