ଅନୁରାଗଙ୍କ ହାତ ଧରିଲେ ଅଭିନେତ୍ରୀ ଏଲିନା
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଲିଉଡ୍ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲମ୍ବା ସମୟ ଧରି ସର୍ମ୍ପକରେ ରହିବା ପରେ ସେ ଭୁବନେଶ୍ୱରର ଜଣେ ସଫଳ ବ୍ୟବସାୟୀଙ୍କ ହାତ ଧରିଛନ୍ତି । ଗତ ରବିବାର ଏଲିନା ଭୁବନେଶ୍ୱର ସହିଦ ନଗର ଅଞ୍ଚଳର ଜୟ ପ୍ରକାଶ ପଣ୍ଡା ଓ ଆରତୀ ପଣ୍ଡାଙ୍କ ପୁଅ ଅନୁରାଗଙ୍କୁ ବିବାହ କରିଛନ୍ତି । ଇଣ୍ଡୋନେସିଆ ବାଲି ଦ୍ୱୀପର ପୁରୀ ହୋଟେଲରେ ଉଭୟ ପରିବାରର ସ୍ୱଳ୍ପ ଲୋକଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଲିନାଙ୍କ ପିତା ଜ୍ୟୋତି ରଞ୍ଜନ ସାମନ୍ତରାୟ, ମାତା ଅନୁରାଧା ସାମନ୍ତରାୟ, ଭାଇ ରୀତ୍ ସାମନ୍ତରାୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଏକ ଘରୋଇ ଚ୍ୟାନେଲ୍ର ରିଅଲିଟି ସୋ’ ରୁ ବିଜେତା ହୋଇ ଗତ ୨୦୧୫ ମସିହାରେ ଏଲିନା ଓଡିଆ ଚଳଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚିତ୍ର ‘ଇସ୍କ ତୁ ହି ତୁ’ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ପରେ ସେ ‘କେହି ନୁହେଁ କାହାର’, ‘ଲଭ ଷ୍ଟେସନ୍’, ‘ଜଗା ହାତରେ ପଘା’, ‘ଝିଅଟା ବିଗିଡି ଗଲା’, ‘ମୁଁ ଖାଣ୍ଟି ଓଡିଆ ଝିଅ’, ‘ବାବୁଲା ବାର ବୁଲା’, ‘ପ୍ରତିଶୋଧ’, ‘ମାଲ୍ୟଗିରି’ ଆଦି ଚଳଚିତ୍ରରେ ଅଭିନୟ କରି ଅନେକ ପ୍ରସଂଶା ସାଉଁଣ୍ଟିଛନ୍ତି । ଏଲିନାଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ଆଗରପଡାରେ ହୋଇଥିବା ବେଳେ ସେ ସପରିବାର ଭୁବନେଶ୍ୱରରେ ରହୁଛନ୍ତି ।