ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିରୋଧ ଆଇନ ସମ୍ପର୍କରେ କର୍ମଶାଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅନୁସୂଚିତ ଜାତି ଓ ଜନଜାତି ସମୁଦାୟ ଉପରେ ହେଉଥିବା ନିର୍ଯ୍ୟାତନା କ୍ଷେତ୍ରରେ ସରକାରୀ ଅଧିକାରୀ ଓ କର୍ମଚାରୀ ବିଶେଷକରି ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଉକ୍ତ ଆଇନର ଧାରା -୪ରେ ଜାଣିଶୁଣି ଏହି ଆଇନରେ ଥିବା ବ୍ୟବସ୍ଥା ଗୁଡିକୁ କାର୍ଯ୍ୟକାରୀ ନକରି ଏବଂ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଣ ଅନୁସୂଚିତ ଜାତି ଓ ଜନଜାତି ସରକାରୀ କର୍ମଚାରୀ ଯଥା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପାଇଁ ୬ମାସରୁ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରଖାଯାଇଛି । ତେଣୁ ସରକାରୀ କର୍ମଚାରୀଙ୍କ ଏହି ଦାୟୀତ୍ୱ ସମ୍ପର୍କରେ ନିର୍ଯ୍ୟାତିତ ବ୍ୟକ୍ତି, ପୋଲିସ, ପ୍ରଶାସନିକ ଅଧିକାରୀ, ବେସରକାରୀ ସଂଗଠନ, ଆଇନଜୀବୀ ଓ ମାନବ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ସଚେତନ ହେବା ନିହାତି ଆବଶ୍ୟକ ଯାହାଦ୍ୱାରା ଆଇନ ଓ ନିୟମର ସଠିକ ଅନୁପାଳନ ହେବ ଓ ସରକାରୀ କର୍ମଚାରୀଙ୍କ ବିରୋଧରେ ଆଇନ ଉଲ୍ଲଙ୍ଘନ ଜନିତ ଅଭିଯୋଗର ଅବକାଶ ରହିବ ନାହିଁ ବୋଲି ଆୟୋଜିତ ଏସମ୍ପର୍କିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି । ଏହି ଉପଲକ୍ଷେ ଗୁରୁବାର କେନ୍ଦ୍ରାପଡା ସୈାଭାଗ୍ୟ ମଣ୍ଡପରେ ଭୁବନେଶ୍ୱରର ସ୍ୱେଛାସେବୀ ଅନୁଷ୍ଠାନ ସି.ଏସ.ଏନ.ଆର. ପକ୍ଷରୁ ରଞ୍ଜିତ ସୁତାରଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାରେ ସେ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା ଯୋଗଦେଇ କହିଲେ ଯେ ଥାନାରେ ମୈାଖିକ ଭାବରେ ଅଭିଯୋଗ କରାଗଲେ ଥାନାର ଭାରପ୍ରାପ୍ତ ଅଧିକାରୀ କିମ୍ବା ତାଙ୍କ ନିର୍ଦେଶରେ ଅନ୍ୟ କୈାଣସି ଅଧିକାରୀ ସେହି ଅଭିଯୋଗକୁ ଲିପିବଦ୍ଧ କରି ଅଭିଯୋଗକାରୀଙ୍କୁ ପଢି ଶୁଣାଇବେ । ଏଥିସହିତ ରାଜ୍ୟ ସରକାରଙ୍କ ସାକାର ପୋର୍ଟାଲ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ପି.ପି. ଗୋକୁଳରଞ୍ଜନ ଦାସ, ବିଶିଷ୍ଟ ଦଳିତ ନେତା ତଥା ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲିକ ପ୍ରମୁଖ ଯୋଗଦେଇ ଥାନାରେ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାନଗଲେ ସେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିପାରିବେ ଓ ଆବଶ୍ୟକ ସ୍ଥଳେ କୋର୍ଟର ଧ୍ୟାନଆକର୍ଷଣ କରିପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଶିଷ ସେନାପତି, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ପ୍ରଦୀପ କୁମାର ଦାଶ, ଦଳିତ ନେତା ନଗେନ୍ଦ୍ର ଜେନା, ସି.ଏସ.ଏନ.ଆର.ର ସଂଯୋଜକ ଚନ୍ଦ୍ରନାଥ ଦାନୀ ପ୍ରମୁଖ ଯୋଗଦେଇ ଏସମ୍ପର୍କିତ ଆଇନ ବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ