ଅନୁସୂଚିତ ଜାତି ମହିଳା ଓ କାଶୀନଗର ଏନ୍ଏସି ପାଇଁ ମହିଳାଙ୍କୁ ସଂରକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-୨୦୨୨ ପୌର ନିର୍ବାଚନ ପାଇଁ ଘୋଷଣା ହୋଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଶେଷ ବିଜ୍ଞପ୍ତି ପ୍ରକାଶ ପାଇଛି । ପତ୍ର ସଂଖ୍ୟା ୧୭୪୪, ୩୧.୦୧.୨୦୨୨ରେ ରାଜ୍ୟର ସମସ୍ତ ପୌରପରିଷଦ ଓ ବିଜ୍ଞାପିତ ପରିଷଦ ଅଞ୍ଚଳର ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତଦନୁଯାୟୀ ଗଜପତି ଜିଲ୍ଲାର ଦୁଇ ଗୋଟି ସହର ତଥା ପାରଳାଖେମୁଣ୍ଡି ପୌରପରିଷଦରେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ହୋଇଥିବା ବେଳେ କାଶୀନଗର ଏନ୍ଏସି ପାଇଁ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି । ଏଥି ପୂର୍ବରୁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ମଧ୍ୟ ସମାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା । ତେବେ ପାରଳାଖେମୁଣ୍ଡି ପୌରପରିଷଦରେ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କଂଗ୍ରେସ ଆପତ୍ତି ଉଠାଇ ଜିଲ୍ଲାପାଳ ତଥା ପୌରପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଠାରେ ଅଧ୍ୟକ୍ଷା ପଦବୀ ପାଇଁ ସାଧାରଣବର୍ଗ ମହିଳାଙ୍କୁ ସଂରକ୍ଷଣ କରିବାପାଇଁ ଅନୁରୋଧ କରିଥିଲେ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା ।