ଅନୈତିକ ଭାବେ ଅର୍ଥ ଆଦାୟ ଅଭିଯୋଗ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ସରକାରଙ୍କ ପରିସଂଖ୍ୟାନ ବିଭାଗ ପକ୍ଷରୁ ଅର୍ଥନୈତିକ ସର୍ଭେ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ସମ୍ପାଦନ କରୁଥିବା ସଂପୃକ୍ତ ସଂସ୍ଥାର କର୍ମଚାରୀ ଘରପିଛା ଅନୈତିକ ଭାବେ ଅର୍ଥ ଆଦାୟ କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ବିଭିନ୍ନ ରାଜସ୍ୱ ଗ୍ରାମରେ ଅର୍ଥନୈତିକ ଜନଗଣନା କରାଯାଉଥିବା ବେଳେ ଘର ନମ୍ବର ଓ ପରିବାର ସଦସ୍ୟ ସଂଖ୍ୟା ଗଣନା ଆଧାରରେ ରିପୋର୍ଟ ପ୍ରକାଶ ପାଇବ । ସଂପୃକ୍ତ ଅର୍ଥନୈତିକ ସର୍ଭେ କରୁଥିବା ସଂସ୍ଥା ସରକାରଙ୍କ ଠାରୁ ନିର୍ଦ୍ଧାରିତ ଦରରେ ଏହି କାର୍ଯ୍ୟ ସମ୍ପାଦନ ପାଇଁ ଅର୍ଥ ପାଇବାର ବ୍ୟବସ୍ଥା ରହିଥିବା ବେଳେ ଏହି ପଂଚାୟତର ଓର୍ଷକା,ସହରପୁର,ଅନ୍ତାଲୋ,ନରିଲୋ,ଚକ୍ରୋଡା ପ୍ରଭୃତି ଗ୍ରାମରେ ସର୍ଭେ କରୁଥିବା କର୍ମଚାରୀ ମଧ୍ୟସ୍ତିଙ୍କ ଜରିଆରେ ଘର ପିଛା ୨ଶହ ଟଙ୍କା ଲେଖାଁଏ ଆଦାୟ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ରଞ୍ଜିତ ପରିଡା, ପ୍ରକାଶ ପ୍ରଧାନ, ବିଭୂଦତ ପ୍ରଧାନ, କିଶୋର ପ୍ରଧାନ, ବିଶ୍ୱରଞ୍ଜନ ସେଣ, ବ୍ରଜସୁନ୍ଦର ରାଉତ, ପ୍ରଦୀପ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତରେ ସର୍ଭେ କରୁଥିବା ସଂପୃକ୍ତ ସଂସ୍ଥାର କର୍ମଚାରୀ ଅର୍ଥ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।