ଅନ୍ତର୍ଜାତୀକ ସ୍ତରରେ ଉଠିବ ପ୍ରସଙ୍ଗ, ପାକ୍ ବିରୋଧରେ ଇରାନର ପ୍ରତିଶୋଧ ଘୋଷଣା

ପୁଲୱାମା ଘଟଣାକୁ ଭାରତ ସରକାର ଅନ୍ତର୍ଜାତୀୟ ସ୍ତରରେ ଉଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ବିଶ୍ୱ ସମୁଦାୟକୁ ଏକଜୁଟ୍ ହେବାକୁ ଆହ୍ୱାନ ଦେବା ଭାରତର ମୂଳ ଲକ୍ଷ୍ୟ ରହିବ । ଅନ୍ୟପକ୍ଷେ ଆଜିର ପୁଲୱାମା ଘଟଣା ଭଳି ଦିନକ ପୂର୍ବେ ଇରାନ୍ରେ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣାପଡିଛି । ଏଥିରେ ଇରାନ୍ ସେନାର ୨୭ ସୈନିକ ମୃତ୍ୟୁବରଣ କରିଥିବା ବେଳେ ୩ଠରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଇରାନ ସରକାର ଗତକାଲି ହିଁ ଧମକ ଦେଇସାରିଛନ୍ତି । ଇରାନର ଇସଲାମିକ ରିଭୋଲ୍ୟୁସନ୍ ଗାର୍ଡ କର୍ପସ (ଆଇଆରଜିସି)ର ଯବାନମାନେ ବୁଧବାର ରାତିରେ ବସ୍ରେ ଯାଉଥିବା ବେଳେ ଏକ ବିସ୍ଫୋରକ ଭରା କାର ସେଥିରେ ମାଡ ହୋଇଥିଲା । ଏହି ଘଟଣାରେ ଆଇଆରଜିସିର ୨୭ ଯବାନ ପ୍ରାଣ ହରାଇଥିଲେ । ଏହି ଘଟଣା ପାଇଁ ମଧ୍ୟ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ୍ ନିଜକୁ ଦାୟୀ କରିଛି ।

ଆତଙ୍କବାଦ ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବା ସମ୍ଭବ ନୁହେଁ ବୋଲି ଜାଣିମଧ୍ୟ ଏପ୍ରକାର ନୃଶଂସ ଖେଳ ଖେଳିବା ପାଶବିକ ପ୍ରବୃତ୍ତି । ଏହା ଭୀରୁତାର ପରିଚୟ । ଆଜିର ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରୁଛି । ସହିଦ୍ ଯବାନଙ୍କ ବୀରତ୍ୱକୁ ମୁଁ ସଲାମ୍ କରୁଛି । ସେମାନଙ୍କ ଆତ୍ମାର ସଦ୍ଗତି ଏବଂ ଆହତ ଯବାନଙ୍କ ଆଶୁଆରୋଗ୍ୟ ଲାଗି ପ୍ରାର୍ଥନା କରୁଛି ।
ରାମନାଥ କୋବିନ୍ଦ (ରାଷ୍ଟ୍ରପତି)
…………………………………………………..
ଆତଙ୍କବାଦୀ ପୁଣିଥରେ ଭୀରୁତାର ପରିଚୟ ଦେଇଛନ୍ତି । ୩ଠରୁ ଊଦ୍ଧ୍ୱର୍ ଯବାନଙ୍କୁ ବିସ୍ଫୋରଣ କରି ନିହତ କରିଥିବା ଆତଙ୍କବାଦୀଙ୍କ ଠାରୁ ମଣିଷପଣିଆ ଆଶା କରିବା ବୃଥା । ସହିଦ୍ ଯବାନଙ୍କ ପରିବାର ପ୍ରତି ଦେଶବାସୀଙ୍କ ସମବେଦନା ରହିଛି । ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ । ପ୍ରଥମେ ଉରି, ପରେ ପଠାନ୍କୋଟ୍ ଏବଂ ଏବେ ପୁଲୱାମାରେ ଏପ୍ରକାର ଆତଙ୍କବାଦୀ ଆକ୍ରମଣ ମୋଦି ସରକାର ବିଫଳ ସୁରକ୍ଷା ନୀତିକୁ ପଦାରେ ପକାଇଦେଇଛି ।
ରଣଦୀପ ସୁରଜେୱାଲା (କଂଗ୍ରେସ ମୁଖପାତ୍ର)
…………………………………………………..
ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ତାର ସହ ଭର୍ତ୍ସନା କରୁଛି । ସହିଦ୍ ଓ ଆହତ ଯବାନଙ୍କ ପରିବାର ଉପରେ ବିପଦ ମାଡିଆସିଛି । ସହିଦ୍ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି । ଦେଶବାସୀ ସେମାନଙ୍କ ସହ ସବୁବେଳେ ରହିଛନ୍ତି ।
ଅରବିନ୍ଦ କେଜରିୱାଲ (ଆପ୍ ସଂଯୋଜକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ)
…………………………………………………..

ପୁଲୱାମାରେ ଆଜି ଯାହା ଘଟିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ହୃଦୟବିଦାରକ । ସହିଦ୍ ଯବାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏବଂ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ମୁଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି । କାଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ।
ଓମାର ଅବଦ୍ଦୁଲା (ପୂର୍ବତନ ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ)
…………………………………………………..
ଏହି ଘଟଣାକୁ ନିନ୍ଦା କରିବା ପାଇଁ ମୋ’ ପାଖରେ ଭାଷା ହିଁ ନାହିଁ । ଆତଙ୍କବାଦର କୌଣସି ଧର୍ମ ନଥିବା ଶୁଣିଥିଲି ଆଜି ଏହାକୁ ଅନୁଭବ କରୁଛି । ଯବାନଙ୍କ ଉପରେ ଆତଙ୍କବାଦୀ ସଂଗଠନର ଏପ୍ରକାର ଆକ୍ରମଣ କଦାପି ବରଦାସ୍ତଯୋଗ୍ୟ ନୁହେଁ । ଏପ୍ରକାର ପାଗଳାମୀ ପାଇଁ ଈଶ୍ୱର ସେମାନଙ୍କୁ କଦାପି କ୍ଷମା କରିବେ ନାହିଁ ।
ମେହବୁବା ମୁଫ୍ତି, (ପିଡିପି ସୁପ୍ରିମୋ, ପୂର୍ବତନ ମୁଖ୍ୟମନ୍ତ୍ରୀ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ