ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଗିରି ଲଙ୍ଘିଲେ ୧୦ ଦିବ୍ୟାଙ୍ଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଆ ଭାଗବତରେ ଉଲ୍ଲେଖ ଅଛି “ମୁକଂ କରୋତି ବାଚାଳଂ, ପଙ୍ଗୁ ଲଙ୍ଘୟତେ ଗିରି” ଅର୍ଥାତ୍ ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ଥିଲେ ବହୁ ଅସାଧ୍ୟ କାମ ବି ସହଜରେ ସାଧ୍ୟ ହୋଇଥାଏ । ଏପରିକି ଶାରୀରିକ ଅକ୍ଷମତା କେବେ ବି ସଫଳତାକୁ ଅଟକାଇ ପାରିନି । ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଏହି କଥାଟିକୁ ସତ୍ୟ ବୋଲି ପ୍ରମାଣ କରି ଦେଖାଇଛନ୍ତି ଆମ ରାଜ୍ୟର କିଛି ଉଦୀୟମାନ୍ ଦୃଷ୍ଟିବାଧିତ ଯୁବକ । ଦିବ୍ୟାଙ୍ଗ ହୋଇ ବି ଏମାନେ ହାର ମାନି ନାହାଁନ୍ତି । ଏମାନେ ଦୁନିଆର ଆଲୋକ ଦେଖି ପାରି ନଥାନ୍ତି ଏହା ସତ, କିନ୍ତୁ ଦୁନିଆ ସାମ୍ନାରେ ରଖିପାରନ୍ତି ଅନେକ ଆହ୍ୱାନ । ଯାହା ସମାଜ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏକଥା ଏବେ ସାମ୍ନାକୁ ଆସିଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରୁଥିବା ସମୟରେ ଓଡ଼ିଶାର ୧୦ଜଣ ଦୃଷ୍ଟିବାଧିତ ଯୁବକ ନିଜର ଅଦମ୍ୟ ଦୁଃସାହସ ଓ ବୀରତ୍ୱ ପ୍ରଦର୍ଶନ କରି ରଚିଛନ୍ତି ନୂଆ ଉଦାହରଣ ।ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଅଗମ୍ୟ ୧୧୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ କନ୍ଦଳେଇ ପାହାଡକୁ ଏହି ଦୃଷ୍ଟିବାଧିତ ଯୁବକମାନେ ନିର୍ଭୟରେ ଲଙ୍ଘି ଶିଖରରେ ଉଡ଼ାଇଛନ୍ତି ତ୍ରିରଙ୍ଗା । ଜୟ ଜଗନ୍ନାଥ, ଭାରତ ମାତା କି ଜୟ ଧ୍ୱନିରେ କମ୍ପି ଉଠିଥିଲା ଉକ୍ତ ଅଞ୍ଚଳ । ସୃଷ୍ଟି ହୋଇଥିଲା ଦେଶଭକ୍ତିର ଏକ ନିଆରା ପରିବେଶ । ପ୍ରମାଣିତ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ହୋଇ ବି ଆମେ ସକ୍ଷମ । ଆମେ କୌଣସ ଗୁଣରେ ବା କାହାଠାରୁ କମ୍ ନୋହୁଁ । ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବୁଲ୍‌ସଆଇ’ ପକ୍ଷରୁ ଏହି ଦୁଃସାହସିକ ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ ମୁଖ୍ୟଅତିଥି ରୂପେ ଯୋଗଦେଇ ଦୁଃସାହସିକ ଯାତ୍ରାକୁ ଶୁଭ ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗ ଯୁବକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ‘ବୁଲ୍‌ସଆଇ’ର ବରିଷ୍ଠ ପରାମର୍ଶଦାତା ଚନ୍ଦ୍ରଶେଖର ପାଲ, ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସମ୍ପାଦକ ବାପିନା ନାୟକ ପ୍ରମୁଖ ଯୋଗଦେଇ ଯୁବକମାନଙ୍କର ଏତାଦୃଶ ସାହସକୁ ବେଶ୍ ପ୍ରଶଂସା କରିଥିଲେ । ଶାରୀରିକ ଦୃଷ୍ଟିକୋଣରୁ ଏମାନେ ଦିବ୍ୟାଙ୍ଗ ସତ କିନ୍ତୁ ତାଙ୍କର କଠିନ ଇଛାଶକ୍ତି ସାରା ଦେଶକୁ ଗୌରବ ଆଣିଦେଇଛି । ସତରେ ଏମାନେ ସମାଜ ପାଇଁ ପ୍ରେରଣାଦାୟୀ । କାର୍ଯ୍ୟକ୍ରମକୁ ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଦୁର୍ଯ୍ୟୋଧନ ପାହାଡାସିଂ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ