ଅନ୍ତର୍ଜାତୀୟ ପ୍ରତିଭାଙ୍କୁ ଆକୃଷ୍ଟ କରିବା ଲାଗି ହ୍ୟାକାଥନରେ ସମଗ୍ର ବିଶ୍ଵର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିପାରିବେ
ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଓ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଦ୍ଵାରା ଡ୍ରଗ ଡିସକଭରୀ ହ୍ୟାକାଥନର ଶୁଭାରମ୍ଭ କରାଯାଇଛି। ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଅନଲାଇନ ପ୍ଲାଟଫର୍ମ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଏଆଇସିଟି ଏବଂ ସିଏସଆଇର ମିଳିତ ଉଦ୍ୟମରେ ଏହି ହ୍ୟାକାଥନର ପରିକଳ୍ପନା କରାଯାଇଛି। ଏଥିରେ ସିଡିଏସି, ମାଇଁ ଗଭ, ସ୍କ୍ରୋଡିଙ୍ଗର ଏବଂ କେମଆକ୍ସନ ପ୍ରମୁଖ ସହଯୋଗ କରୁଛନ୍ତି। ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟ ରାଘବନ, ଏଆଇସିଟିର ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ସିଏସଆଇଆର ଡିଜି ଡ. ଶେଖର ମାଣ୍ଡେ, ଏଆଇସିଡି ସଚିବ ଡ. ରାଜୀବ କୁମାର, ଫାର୍ମାସୀ କାଉନସିଲ ଅଫ ଇଣ୍ଡିଆର ସଭାପତି ପ୍ରଫେସର ବି. ସୁରେଶ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମୁଖ୍ୟ ନବୋନ୍ମେଷ ଅଧିକାରୀ ଡ. ଅଭୟ ଜେରେ ପ୍ରମୁଖ ଏହି ଅନଲାଇନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଔଷଧ ଉଦ୍ଭାବନ ପ୍ରକ୍ରିୟାରେ ସହଯୋଗ ପାଇଁ ଏହି ହ୍ୟାକାଥନ ହେଉଛି ଏକ ଅଭିନବ ଜାତୀୟ କାର୍ଯ୍ୟକ୍ରମ। ଅନ୍ତର୍ଜାତୀୟ ପ୍ରତିଭାମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ହ୍ୟାକାଥନକୁ ସାରା ବିଶ୍ଵର ପେସାଦାର, ଶିକ୍ଷକ, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। କମ୍ପ୍ୟୁଟର ସାଇନ୍ସ, ରସାୟନ ବିଜ୍ଞାନ, ଫାର୍ମାସୀ, ଡାକ୍ତରୀ ଶିକ୍ଷଶ, ମୌଳିକ ବିଜ୍ଞାନ ଏବଂ ଜୈବପ୍ରଯୁକ୍ତି କ୍ଷେତ୍ରର ପ୍ରତିଭାମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ସେ ଆହୁରି କହିଥିଲେ ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ଏଆଇସିଟିଇର ହ୍ୟାକାଥନ ଆୟୋଜନ କରିବାର ଅଭିଜ୍ଞତା ପୂର୍ବରୁ ରହିଛି। ତେମେ ପ୍ରଥମ ଥର ପାଇଁ ଏକ ବିଶାଳ ବୈଜ୍ଞାନିକ ଆହ୍ଵାନର ମୁକାବିଲା କରିବା ଲାଗି ହ୍ୟାକାଥନ ମଡେଲର ଉପଯୋଗ କରାଯାଉଛି।ଅଂଶଗ୍ରହଣକାରୀମାନଙ୍କୁ ଉଦବୋଧନ ଦେଇ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଆମ ଦେଶରେ କମ୍ପ୍ୟୁଟର ଆଧାରିତ ଔଷଧ ଉଦ୍ଭାବନର ସଂସ୍କୃତି ବିକଶିତ କରିବାର ଆବଶ୍ୟକତା ରହିଛି। ଏହି ପ୍ରୟାସ ଫଳରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନବୋନ୍ମେଷ ବିଭାଗ ଏବଂ ଏଆଇସିଟିଇ ପକ୍ଷରୁ ହ୍ୟାକାଥନ ଜରିଆରେ ସମ୍ଭାବ୍ୟ ଔଷଧ ମଲ୍ୟୁକ୍ୟୁଲଗୁଡ଼ିକୁ ଚିହ୍ନଟ କରିବା ଉପରେ ଗୁରୁତ୍ଵାରୋପ କରାଯିବ। ଏହାପରେ ସିଏସଆଇଆର ଏହି ଚିହ୍ନଟ ମଲ୍ୟୁକ୍ୟୁଲଗୁଡ଼ିକୁ ସିନ୍ଥେସିସ ଓ ପରୀକ୍ଷାଗାରରେ ପରୀକ୍ଷଣ ପାଇଁ ଆଗକୁ ବଢ଼ିବ। ଯାହାଦ୍ଵାରା ଏଗୁଡ଼ିକର ପ୍ରଭାବ, ପ୍ରତିକ୍ରିୟା, ସମ୍ବେଦନଶୀଳତା ଓ ବିଶେଷତ୍ଵକୁ ଅନୁଧ୍ୟାନ କରାଯାଇପାରିବ। ସେ କହିଥିଲେ ଯେ ଇନ-ସିଲିକୋ ଔଷଧ ଉଦ୍ଭାବନ ଜରିଆରେ ସାର୍ସ-କୋଭ-୨ ବିରୋଧରେ ଔଷଧ ଚିହ୍ନଟ କରିବା ଏବଂ ଏହାକୁ କେମିକାଲ ସିନ୍ଥେସିସ ଓ ଜୈବିକ ପରୀକ୍ଷଣ ଲାଗି ଆଗେଇ ନେବା ଏହି ହ୍ୟାକାଥନର ଉଦ୍ଦେଶ୍ୟ। ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଔଷଧ ଉଦ୍ଭାବନ ଏକ ଜଟିଳ, ବ୍ୟୟବହୁଳ ଓ କଠିନ ପ୍ରକ୍ରିୟା। ଗୋଟିଏ ନୂଆ ଔଷଧ ଉଦ୍ଭାବନ ଲାଗି ୧୦ ବର୍ଷରୁ ଅଧିକ ସମୟ ଲାଗିଥାଏ। ଡ. ହର୍ଷବର୍ଦ୍ଧନ କହିଥିଲେ ଯେ କୋଭିଡ-୧୯ ଲାଗି କେତେକ ଭିନ୍ନ ରୋଗ ଲାଗି ଉଦ୍ଦିଷ୍ଟ ଔଷଧର ଡାକ୍ତରୀ ପରୀକ୍ଷଣ କରୁଛୁ କାରଣ ଏହା ଦ୍ରୁତ ଏବଂ ଶୀଘ୍ର ଶୁଭାରମ୍ଭ କରିବା ସହଜ ହୋଇଥାଏ। ତେବେ କୋଭିଡ ବିରୋଧରେ ଉପଯୁକ୍ତ ଔଷଧ ଏବଂ ନୂଆ ଔଷଧ ଉଦ୍ଭାବନା କରାଯିବା ଗୁରୁତ୍ଵପୂର୍ଣ୍ଣ। ସେ କହିଥିଲେ, ମେସିନ ଲର୍ଣ୍ଣିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବିଗଡାଟା ଆନାଲିଟିକ୍ସ ଭଳି କମ୍ପ୍ୟୁଟର ଆଧାରିତ ପଦ୍ଧତି ଅବଲମ୍ବନ କରୁଥିବା ଇନ-ସିଲିକୋ ଔଷଧ ଉଦ୍ଭାବନ ପ୍ରକ୍ରିୟା ମାଧ୍ୟମରେ ଔଷଧ ଉଦ୍ଭାବନ ପ୍ରକ୍ରିୟାକୁ ଦ୍ରୁତ ବେଗରେ କରାଯାଇପାରିବ। ହ୍ୟାକଥନରେ କେତେକ ଚ୍ୟାଲେଞ୍ଜ ବା ଆହ୍ବାନ ରହିଛି ଯାହା ପ୍ରୋବ୍ଲେମ ଷ୍ଟେଟମେଣ୍ଟ ରୂପରେ ପୋଷ୍ଟ କରାଯାଇଛି, ଏଗୁଡ଼ିକ ନିର୍ଦ୍ଦିଷ୍ଟ ଔଷଧ ଉଦ୍ଭାବନ ବିଷୟ ଉପରେ ଆଧାରିତ, ଯାହାକୁ ଅଂଶଗ୍ରହଣକାରୀମାନେ ସମାଧାନ କରିପାରିବେ। ଏଥିରେ ମାଇଁ ଗଭ ପୋର୍ଟାଲ ଉପଯୋଗ କରାଯାଉଛି ଏବଂ ଯେକୌଣସି ଭାରତୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ବିଶ୍ବର ଯେକୌଣସି ସ୍ଥାନରୁ ପେସାଦାର ଏବଂ ଗବେଷକମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଦୁଇ ପ୍ରକାରର ଚ୍ୟାଲେଞ୍ଜ ପ୍ରୋବ୍ଲେମ ଷ୍ଟେଟମେଣ୍ଟ (ପିଏସ) ଏଥିରେ ପ୍ରସ୍ତାବିତ କରାଯାଇଛି ଏବଂ ମୋଟ ୨୯ଟିକୁ ଚିହ୍ନଟ କରାଯାଇଛି। ଟ୍ରାକ ୧କୁ ମୁଖ୍ୟତଃ କୋଭିଡ ହିଟ/ଲିଡ ଜେନେରେସନ ଔଷଧ ପ୍ରସ୍ତୁତି ନିମନ୍ତେ ଡିଜାଇନ କରାଯାଇଛି : ମଲିକ୍ୟୁଲାର ମଡେଲିଂ, ଫାର୍ମାକୋଫର ଅପ୍ଟିମାଇଜେସନ, ମଲିକୁଲାର ଡକିଂ, ହିଟ/ଲିଡ ଅପ୍ଟିମାଇଜେସନ ଆଦି ଦ୍ଵାରା ଏହା କରାଯିବ। ଟ୍ରାକ ୨ ନୂତନ ଉପକରଣ ଏବଂ ଆଲଗୋରିଦିମ ଡିଜାଇନିଂ/ଅପ୍ଟିମାଇଜିଂ ଲାଗି ଉଦ୍ଦିଷ୍ଟ ଯାହାକି ଇନସିଲିକୋ ଔଷଧ ଉଦ୍ଭାବନ ପ୍ରକ୍ରିୟା ଜରିଆରେ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାରେ ବ୍ୟାପକ ପ୍ରଭାବ ପକାଇବ। ଏଥିରେ ଏକ ତୃତୀୟ ଟ୍ରାକ ରହିଛି ଯାହାର ନାମ “ମୁନ ଶଟ” ରଖାଯାଇଛି। ଯାହା ଭିନ୍ନ ସମସ୍ୟାର ଅଭିନବ ସମାଧାନ ଖୋଜିବା ଲାଗି ଉଦ୍ଦିଷ୍ଟ।